ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଫେଷ୍ଟିଭାଲରେ କ୍ଷୁଦ୍ର ଚଳଚ୍ଚିତ୍ର ‘ରବୈୟା’ ପୁରସ୍କୃତ

ଜୟପୁର: ପେଶାରେ ଇଞ୍ଜିନିୟର ହେଲେ ନିଶା କିନ୍ତୁ ଭିନ୍ନ । କଳା ସଂସ୍କୃତି ପରମ୍ପରାକୁ ନେଇ ଗୋଟିଏ ପରେ ଗୋଟିଏ ପ୍ରାମାଣିକ ଚଳଚ୍ଚିତ୍ର ମ୍ୟୁଜିକ୍ ଭିଡିଓ କରିବା ପରେ ଆଉ ଏକ ଚଳଚ୍ଚିତ୍ର କରି ପ୍ରଂଶସା ସାଉଣ୍ଟିଛନ୍ତି ସେ । ସେ ହେଉଛନ୍ତି ଜୟପୁରର ଯୁବ ଫିଲ୍ମ ନିର୍ଦ୍ଦେଶକ ବିଶ୍ୱନାଥ ରଥ । ଯିଏ ବର୍ତ୍ତମାନର ଘଟଣାବଳୀ ସହ ଜଡ଼ିତ ଏକ ବିଷୟକୁ ନେଇ ପ୍ରସ୍ତୁତ କରିଛନ୍ତି ‘ରବୈୟା’ ଚଳଚ୍ଚିତ୍ର ।

ପ୍ରଂଶସା ସାଉଣ୍ଟିଛି କ୍ଷୁଦ୍ର ଚଳଚ୍ଚିତ୍ର ‘ରବୈୟା’ । ସର୍ବୋତ୍ତମ ଚିନ୍ତାଧାରା ପ୍ରଦାନକାରୀ କାହାଣୀ । ବାସ୍ତବ ଘଟଣାକୁ ନେଇ କାହାଣୀ । ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଫେଷ୍ଟିଭାଲରେ ‘ରବୈୟା’କୁ ମିଳିଛି ଏହି ପୁରସ୍କାର । ୨୩ଟି ଦେଶର ଚଳଚ୍ଚିତ୍ର ଏଥିରେ ଭାଗ ନେଇଥିଲା । ୮୦ଟି ଚଳଚ୍ଚିତ୍ର ମଧ୍ୟରୁ ବର୍ଷର ସର୍ବୋତ୍ତମ ଚିନ୍ତାଧାରା ପ୍ରଦାନକାରୀ କାହାଣୀ ଥିଲା ‘ରବୈୟା’ । ୟୁକେରେ ଜୁଲାଇ ମାସରେ ଲିଫ୍ଟ ଅଫ ମେସନ୍ସ ଫିଲ୍ମ ଫେଷ୍ଟିଭାଲ ଚଳଚ୍ଚିତ୍ର ମହୋତ୍ସବରେ ଏହାର ପ୍ରିମିୟର ହୋଇଥିଲା । ନିକଟରେ ଫିଲ୍ମଟି ଏସିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ଫେଷ୍ଟିଭାଲ ଜାପାନ ଏବଂ ଆସେକ୍ସ ଡୋକଫେଷ୍ଟ ୟୁକେରେ ଅଫିସିଆଲ ସିଲେକ୍ସନ ପ୍ରାପ୍ତ କରିଛି । ଏହି ମହୋତ୍ସବ ଆସନ୍ତା ସେପ୍ଟେମ୍ବରରେ ଆୟୋଜିତ ହେବ ।

ଲକଡାଉନ ସମୟରେ ଦେଶରେ ଘଟିଥିବା କିଛି ବାସ୍ତବ ଘଟଣା ଉପରେ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ । କରୋନା ସମୟରେ ପ୍ରବାସୀ ଶ୍ରମିକମାନଙ୍କ ଅସାଧାରଣ ପାର୍ଶ୍ୱକୁ ଏଥିରେ ଦେଖାଇବାର ପ୍ରୟାସ କରିଛନ୍ତି ନିର୍ମାତା ନିର୍ଦ୍ଦେଶକ ବିଶ୍ୱନାଥ ରଥ । ଚଳଚ୍ଚିତ୍ରରେ ଆଶିଷ କୁମାର ଏବଂ ରୋହିତ କାକଡେ ଅଭିନୟ କରିଛନ୍ତି ।

ଡକ୍ୟୁମେଣ୍ଟାରୀ ହେଉ କିମ୍ବା କ୍ଷୁଦ୍ର ଚଳଚ୍ଚିତ୍ର ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଯୁବ ନିର୍ଦ୍ଦେଶକ ବିଶ୍ୱନାଥ ରଥ । ଏଭଳି ସଫଳତା ପାଇଁ ବିଶ୍ୱନାଥଙ୍କ ପରିବାରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave a Reply