ଖୋଲିଲା ସପିଂ ମଲ ଓ ଖୋଲିବ ସିନେମା ହଲ, ତଦାରଖ ପାଇଁ ଗଠିତ ବିଏମ୍‌ସିର ସ୍ୱତନ୍ତ୍ର ଟିମ୍‌

ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟି ଅନ୍‌ଲକ୍‌ ହେଲା ଓଡ଼ିଶା । ସ୍ୱାଭାବିକ ହେବ ସବୁକିଛି । ତଥାପି ରହିଛି କଟକଣା । ଦ୍ୱୈତନଗରରୀ ବଳବତ୍ତର ରହିଛି ସପ୍ତାହାନ୍ତ ସଟ୍‌ଡାଉନ୍‌ । ଅନୁମତି ମିଳିବା ପରେ ଖୋଲିଛି ସପିଂ ମଲ । ଖୁବଶୀଘ୍ର ଖୋଲିବ ସିନେମା ହଲ । ସପ୍ତାହନ୍ତ ସଟ୍‌ଡାଉନ୍‌ ପରେ ରାଜଧାନୀ ଭୁବନେଶ୍ୱର ଆଜି ଚଳଚଞ୍ଚଳ । ମନେହେଉଛି ସ୍ୱାଭାବିକ ଅବସ୍ଥାକୁ ଫେରିଲା ସ୍ମାର୍ଟସିଟି । ଦୋକାନ ବଜାର ସବୁ କିଛି ଖୋଲା । ତେବେ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ମାର୍ଗଦର୍ଶିକା ପାଳନ କରିବାକୁ । ସପିଂ ମଲଗୁଡିକୁ ଖୋଲିବାକୁ ଯଦିଓ ଅନୁମତି ଦିଆଯାଇଛି ତେବେ କିଛି କଟକଣା ବି ଜାରି କରାଯାଇଛି । ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଉଭୟ ଡୋଜ୍‌ ଟିକାର ସାର୍ଟିଫିକେଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବାରୁ କୋଭିଡ କଟକଣାର ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବାକୁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ନିୟମିତ ଚଢାଉ କରି ରିପୋର୍ଟ ଦେବାକୁ ସବୁ ଟିମ୍‌କୁ ନିର୍ଦେଶ ଦିଆଯାଇଥିବା ଅତିରିକ୍ତ କମିଶନର କହିଛନ୍ତି । ଦିର୍ଘ ୩ମାସ ପରେ ପୁଣି ଖୋଲିଛି ସପିଂ ମଲ । ଭୁବନେଶ୍ୱରର ସବୁ ମଲ୍‌ରେ ଦେଖିବାକୁ ମିଳିଛି ଭିଡ଼ । କୋଭିଡ କଟକଶଣା ସହିତ ସରକାରଙ୍କ ମାର୍ଗଦର୍ଶିକା ପ୍ରକାରେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ, ଡବଲ ଡୋଜ୍‌ ସାର୍ଟିଫିକେଟ ସବୁ ଉପରେ ଦିଆଯାଉଛି ଗୁରୁତ୍ୱ । ଦୀର୍ଘ ଦିନ ବ୍ୟବଧାନରେ ମଲ ଖୋଲିଥିବାରୁ ମଲର କର୍ମଚାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ସରକାରଙ୍କ ନିଷ୍ପତ୍ତିକୁ କରିଛନ୍ତି ସ୍ୱାଗତ । ସେପଟେ କିନ୍ତୁ ଅନୁମତି ସତ୍ତ୍ୱେ ଖୋଲିପାରିନି ସିନେମା ହଲ । କୌଣସି ନୂଆ ସିନେମା ରିଲିଜ ପାଇଁ ନଥିବା କାରଣରୁ ଗୁରୁବାର ଠାରୁ ସିନେମା ହଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସିନେମା ହଲ ମାଲିକ । ମୋଟ କ୍ଷମତାର ୫୦ଭାଗ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ ବୋଲି କହିଛନ୍ତି ସିନେମା ହଲ କର୍ତ୍ତୃପକ୍ଷ । ସିନେମା ହଲ, ମଲ ସହିତ ଖୋଲିଛି ପାର୍କ ଓ ରେଣ୍ଟୁରାଣ୍ଟ । ହେଲେ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ କୌଣସି ନିତିଗତ ନିଷ୍ପତ୍ତି ହୋଇନାହିଁ ।

ଏଥିସହିତ ପଢ଼ନ୍ତୁ: ଅଗଷ୍ଟରେ ଆସିବ କରୋନାର ତୃତୀୟ ଲହର: ଓଡ଼ିଶା ନେଇ କିଛି ଏଭଳି କହିଲେ ବିଶେଷଜ୍ଞ

Leave a Reply