ଦୁଇଟି ସ୍ଥାନରେ ଗର୍ଜିଲା ବନ୍ଧୁକ: କେଉଁଠି ଖାଇବାକୁ ନେଇ ତ କେଉଁଠି ଜମି ବିବାଦ

1 min read

ଭୁବନେଶ୍ବର: ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାରେ ଫୁଟିଛି ଗୁଳି । ଗୋଟିଏ ଘଟଣା ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଟି ବଲାଙ୍ଗୀରରେ ଘଟିଛି ।

ମୟୂରଭଞ୍ଜ ଝାରପୋଖରିଆ ଜାମଶୋଳାରେ ଖାଇବାକୁ ନେଇ ଓଁକାର ହୋଟେଲରେ ଫୁଟିଛି ଗୁଳି । ଖାଇବାକୁ ନେଇ କର୍ମଚାରୀ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ବଚସା ହୋଇଥିଲା । ହୋଟେଲ ବୟଙ୍କୁ ଫାୟାରିଂ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ରାତି ପ୍ରାୟ ଗୋଟାଏ ବେଳେ ଝାଡ଼ଖଣ୍ଡର କିଛି ଲୋକ ହୋଟେଲକୁ ଖାଇବାକୁ ଯାଇଥିଲେ । ସାମାନ୍ୟ କଥାରୁ ହୋଟେଲ ବୟ ସହ ଝଗଡ଼ା ପରେ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ହୋଟେଲ ବୟ ସୁଜନଙ୍କ ଛାତିରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାରିପଦା ପିଆରଏମ ଓ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଝାରପୋଖରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହୋଟେଲ ମ୍ୟାନେଜରକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ବଲାଙ୍ଗୀର ସଦର ଥାନା ସଦାଇପାଲିରେ ଜମି ବିବାଦକୁ କେନ୍ଦ୍ରକରି ଗୁଳିକାଣ୍ଡ I ଗୁଳିକାଣ୍ଡରେ ବଲାଙ୍ଗୀର ସହର ରାମେଶ୍ୱର ନଗରପଡାର ଦିଲ୍ଲୀପ ପଟ୍ଟନାୟକ ଓରଫ ସୋନୁ ଗୁରୁତର ଭାବେ ଆହତ ହୋଇଛନ୍ତି I ସୋନୁଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିବା ଜଣାପଡ଼ିଛି I ଉପସ୍ଥିତ ସହଯୋଗୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି I ସୋନୁଙ୍କ ୩ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି I

ଅନ୍ୟପଟେ ଏହି ଘଟଣାରେ ପ୍ରତିପକ୍ଷ ଲମ୍ବୋଦର ସାଏ ଗୋଷ୍ଠୀର କିଛି ମହିଳା ଓ ପୁରୁଷ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି I ସଦର ଏସଡିପିଓ ତୋଫାନ ବାଗ ଭୀମ ଭୋଇ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ସଦର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I ଗତ ଜୁନ ୨୨ ତାରିଖରେ ହେମନ୍ତ ସାହୁ, ସୁବାଷ ସାହୁ ଓ ଭୂମିସୁତା ସାହୁଙ୍କଠାରୁ ଦିଲ୍ଲୀପ, ସନ୍ତୋଷ ସାହୁ ଓ ସାଇସୁଦ୍ଧା ପ୍ରଧାନ କିଣିଥିଲେ I ଏହି ବିବାଦୀୟ ଜମିକୁ ନେଇ ଆଜି ରାଜସ୍ୱ ବିଭାଗ ସହାୟତାରେ ମାପ ଚାଲିଥିବା ବେଳେ ଗଣ୍ଡଗୋଳ ଘଟି ଗୁଳିମାଡ ଘଟିଥିଲା I

ଜମିକୁ ନେଇ ପୂର୍ବରୁ ସଦେଇପାଲିର ଲମ୍ବୋଦର ଓ ଦିଲ୍ଲୀପ ପଟ୍ଟନାୟକ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା I ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ଗୋଷ୍ଠୀର କିଛି ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି I ଗୁଳି ଖାଇଥିବା ଦିଲ୍ଲୀପ ପୂର୍ବରୁ ଏକ ଗଣ୍ଡଗୋଳ ଘଟଣାରେ ଗୁଳି ଖାଇଥିଲେ I