ଆମେରିକାରେ ପୁଣି ଗୁଳିମାଡ଼, ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ

ଓ୍ୱାଶିଂଟନ: ଆମେରିକାରେ ପୁଣି ଗୁଳିମାଡ଼ । ସ୍ବାଧିନତା ଦିବସ ଗୋଟିଏ ଦିନ ପୂର୍ବରୁ ଘଟିଲା ଅଘଟଣ । ଆମେରିକାର  ଫିଲାଡେଲଫିଆ ସହରରରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଘଟଣା ଦିନ ଫିଲାଡେଲଫିଆର ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍‌ ଜଣେ ଯୁବକ ଆଖି ବୁଜା ଗୁଳିମାଡ କରିବା ଆରମ୍ଭ କରିଥିଲା। ଆକ୍ରମଣକାରୀ ନିଜେ ବୁଲେଟ୍‌ ପ୍ରୁଫ ଜ୍ୟାକେଟ ପିନ୍ଧିଥିବା ବେଳେ ତା ହାତରେ ହ୍ୟାଣ୍ଡଗନ୍, ରାଇଫଲ୍ ଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସନ୍ଦିଗ୍ଧ ଆକ୍ରମଣକାରୀକୁ ଅଟକ ରଖିଛି  । ଗୁଳିମାଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।