spot_img

Latest Posts

ନାହିଁ ନାହିଁରେ ଚାଲିଛି ସ୍ଵାସ୍ଥ୍ୟସେବା ; ସିକ୍ୟୁରିଟି ଗାର୍ଡ ମାପୁଛନ୍ତି ରୋଗୀଙ୍କ ବ୍ଲଡ ପ୍ରେସର

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରେ ମାଳମାଳ ସରକାରୀ ହସ୍ପିଟାଲ । ହେଲେ ନାହାନ୍ତି ଡାକ୍ତର । ବିଞ୍ଝାରପୁରରେ ନାହିଁ ନାହିଁରେ ଚାଲିଛି ସ୍ଵାସ୍ଥ୍ୟସେବା । କେଉଁଠି ଡାକ୍ତର ନାହାନ୍ତି ତ ଆଉ କେଉଁଠି ନର୍ସ ନାହାନ୍ତି । ରୋଗୀଙ୍କ ବ୍ଲଡ ପ୍ରେସର ମାପୁଛନ୍ତି ସିକ୍ୟୁରିଟି ଗାର୍ଡ । ଖାଲି ଥିବା ପଦବୀ ପୂରଣ କରିବାରେ ବିଫଳ ସ୍ଵାସ୍ଥ୍ୟ ବିଭାଗ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଭଗବାନ ଭରସାରେ ରୋଗୀ । ବିଞ୍ଝାରପୁର ବ୍ଲକରେ ଦୟନୀୟ ସ୍ଵାସ୍ଥ୍ୟସେବା । କେଉଁଠି ଡାକ୍ତର ନାହାନ୍ତି ତ ପୁଣି କେଉଁଠି ନର୍ସ । ସିକ୍ୟୁରିଟି ଗାର୍ଡ ମାପୁଛନ୍ତି ରୋଗୀଙ୍କ ବ୍ଲଡ ପ୍ରେସର । କାମ ଚଳାଉଛନ୍ତି ଆୟୁଷ ଡାକ୍ତର । ଅନେକ ସମୟରେ ରୋଗୀଙ୍କୁ ଏକ୍ସପାରୀ ଔଷଧ ଦିଆଯାଉଥିବା ଅଭିଯୋଗ ଆସିଛି । ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ପାଲଟିଛି ରେଫରାଲ ଡାକ୍ତରଖାନା । ଏଠି ଏକାଧିକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଛି ଡାକ୍ତର ପଦବୀ | ଆଉ ଯେଉଁଠି ବି ଡାକ୍ତର ଅଛନ୍ତି ସେ ବି ଠିକ ସମୟରେ ଆସୁନାହାନ୍ତି | ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ୧୫ ଜଣ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୩ ଜଣ ଡାକ୍ତର । ଫଳରେ ଡାକ୍ତର ଅଭାବରୁ ସାମାନ୍ୟ ଗୁରୁତର ରୋଗୀଙ୍କୁ ବି ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ରେଫର କରିଦିଆଯାଉଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୮ଟି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ରହିଛି । ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସର୍ବନିମ୍ନ ଜଣେ MBBS ଡାକ୍ତର, ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ, ତିନିଜଣ ନର୍ସିଂ ଷ୍ଟାଫ ଓ ଜଣେ ଆଟେଣ୍ଡାଣ୍ଡ ରହିବା ଆବଶ୍ୟକ । କିନ୍ତୁ ବିଞ୍ଝାରପୁରରେ କୌଣସି ବି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶତପ୍ରତିଶତ ଅଧିକାରୀ ଓ କର୍ମଚାରୀ ନାହାନ୍ତି | ଏକାଧିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ରୋଗୀସେବା । ଅନେକ ସ୍ଥାନରେ ଅପରାହ୍ନ ସମୟରେ ସ୍ଵାସ୍ଥ୍ୟକେନ୍ଦ୍ର ଖୋଲା ଯାଉନାହିଁ । ସ୍ଵାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ଥିବା ଫାର୍ମାସିଷ୍ଟମାନେ ନିଜ ନିଜର ମେଡିସିନ ଦୋକାନ ଖୋଲି ଔଷଧ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କର୍ମଚାରୀ ଅଭାବରୁ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି ବୋଲି ସ୍ୱୀକାର କରିଛନ୍ତି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ | ସରକାର ତୁରନ୍ତ ଏଥିପ୍ରତି ଯତ୍ନବାନ ହେବା ସହ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ପଦବୀ ଗୁଡିକୁ ପୂରଣ କରିବାକୁ ଦାବି କରିଛନ୍ତି ଅଂଚଳବାସୀ  |

Latest Posts

Don't Miss