ପୋଲିସ ମାଡ଼ରେ ଫାଟିଲା କାନ,ନ୍ୟାୟ ପାଇଁ SP ଙ୍କ ଦ୍ୱାରସ୍ଥ ହେଲେ ପୀଡିତ
1 min read
ନନ୍ଦିଘୋଷ ବ୍ୟୁରୋ : ପୋଲିସ ମାଡ଼ରେ ଫାଟିଲା କାନ। ନ୍ୟାୟ ପାଇଁ SP ଙ୍କ ଦ୍ୱାରସ୍ଥ ହେଲେ ପୀଡିତ । ନୟାଗଡ ଜ଼ିଲ୍ଲା ଫତେଗଡ ଥାନାରେ ଘଟିଛି ଏହି ଘଟଣା। ଫତେଗଡ କାଳିକା ସାହିର ବନବାସ ସ୍ୱାଇଁଙ୍କ ୬ ବର୍ଷ ର ଝିଅ ଓ ଜଣେ ପଡ଼ୋଶୀଙ୍କ ପିଲା ମଧ୍ୟରେ ସାମାନ୍ଯ ଝଗଡ଼ା ହୋଇଥିଲା । ଏନେଇ ପଡୋଶୀ ଘର ଲୋକ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ବନବାସ ଫତେଗଡ଼ ଥାନାକୁ ଯାଇଥିଲେ। ସେଠାରେ ASI ଅରୂପାନନ୍ଦ ନାୟକ ବନବାସଙ୍କ ଗାଲରେ ଚାପୁଡ଼ା ଉପରେ ଚାପୁଡ଼ା ମାରିଥିବା ଅଭିଯୋଗ କରିଛନ୍ତି ବନବାସ । ଏପରିକି ବିଧା ଗୋଇଠା ମାରି ଥାନାରେ ସଂଧ୍ୟା ଯାଏ ବସାଇଥିଲେ। ଅଭିଯୋଗକାରୀଙ୍କ ସହିତ ବୁଝାମଣା ହେବା ପରେ ଛାଡ଼ିଥିଲେ । କିନ୍ତୁ ବନବାସ ଘରକୁ ଫେରିବା ପରେ ଅନୁଭବ କଲେ ଯେ, ତାଙ୍କୁ କିଛି ଶୁଭୁ ନାହିଁ। ପରଦିନ ଖୋର୍ଦ୍ଧା ଓ ନୟାଗଡ଼ରେ ଡାକ୍ତରଙ୍କୁ ଦେଖାଇବା ଜଣାପଡ଼ିଲା ଯେ, କାନ ପରଦା ଫାଟି ଯାଇଛି । ଚିକିତ୍ସା ପରେ ବନବାସ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏତଲା ରଖିନଥିବା ବନବାସ ଅଭିଯୋଗ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଘଟଣା ଘଟିଥିବା ଦିନ ଅରୂପାନନ୍ଦ ନାୟକ ଫତେଗଡ ଥାନାରୁ ବଦଳି ହୋଇ ଜଟଣୀ ଥାନାରେ ଯୋଗ ଦେଇସାରିଥିଲେ । ସେ ଜଟଣୀ ଥାନା ଛାଡି ଫତେଗଡ଼ ଥାନା କାହିଁକି ଆସିଥିଲେ ବୋଲି ପ୍ରଶ୍ନ ଉଠିଛି । ଫତେଗଡ଼ ଥାନାରୁ ନ୍ୟାୟ ନପାଇବାରୁ ବନବାସ ନୟାଗଡ଼ଙ୍କ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି। ତଦନ୍ତ ପାଇଁ ଅତିରିକ୍ତ ଏସପି ଖଣ୍ଡପଡ଼ା ଏସଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।