ପୁଅ ବାହାଘର ଲାଗି ଖୁସିରେ ଥିଲେ ବାପା। ହେଲେ ଦଇବ ସାଥ ଦେଲା ନାହିଁ। ବରଯାତ୍ରୀ ଗାଡି ଧକ୍କାରେ ଚାଲିଗଲା ବାପାଙ୍କ ଜୀବନ। ଏହି ମର୍ମନ୍ତୁଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡାରେ। ଗତକାଲି ବରଯାତ୍ରୀ ଶୋଭାଯାତ୍ରା ଚାଲିଥିବା ବେଳେ ବେଲପଡା ଥାନା ଅନ୍ତର୍ଗତ ମଣ୍ଡଳ ଗାଁରେ ଘଟିଥିଲା ଅଘଟଣ । ବରର ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ କନ୍ୟାର ଭାଇ ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି । ବଲାଙ୍ଗୀର ଲୋଇସିଂହା ଥାନା ଆମପାଲି ଗାଁରୁ ବେଲପଡା ଥାନା ମଣ୍ଡଳ ଗାଁକୁ ବରଯାତ୍ରୀ ଯାଇଥିଲା । ବରଯାତ୍ରୀ ପ୍ରୋସେସନ ଚାଲିଥିଲା ବେଳେ ରାତି ପ୍ରାୟ ୧୧ଟା ସମୟରେ ବରଯାତ୍ରୀ ଗାଡି ଡ୍ରାଇଭର ଅଘଟଣ ଘଟାଇଥିଲେ । ବର ବସିଥିବା ଗାଡି ଧକ୍କାରେ ଟଳିପଡିଲେ ବରପିତା । ଘଟଣା ସ୍ଥଳରେ ବରପିତା ଚୈତନ୍ୟ ବାଗଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ କନ୍ୟାର ଭାଇ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବେଲପଡା ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବର ଓ କନ୍ୟା ପକ୍ଷ ଲୋକଙ୍କ ଆଲୋଚନା ପରେ ବିଳମ୍ବରେ ବାହାଘର ସମ୍ପନ୍ନ ହୋଇଥିଲା । ବର କାନ୍ଦିକାନ୍ଦି ବାହା ହୋଇ ଘରକୁ ଫେରିଛି ।

