ଦଲାଲଙ୍କ ନଜରରେ କୋମଳମତି, ପୂର୍ବ ଶତ୍ରୁତା, ପ୍ରେମ ଓ ଅଙ୍ଗତସ୍କରୀ ମୁଖ୍ୟ କାରଣ
1 min read
ନନ୍ଦିଘୋଷ ବ୍ୟୁରୋ: ଦଲାଲଙ୍କ ନଜରରେ କୋମଳମତି ଶିଶୁ । ପୂର୍ବ ଶତ୍ରୁତା ଓ ଟଙ୍କା ପାଇଁ ବାଜିରେ ଲାଗୁଛି ଛୁଆଙ୍କ ଜୀବନ । କୋର୍ଟର ଗାଇଡଲାଇନ ଓ ପୋଲିସ ର ଏସଓପି କଡାକଡି ପାଇଁ ଦାବି । ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ଭାବେ ନେବାକୁ ଡିଜିପିଙ୍କ ନିର୍ଦ୍ଦେଶ । ଏପ୍ରିଲ ମାସ ୧୩ ତାରିଖ । ବିଳମ୍ବିତ ରାତିରେ ଖାରବେଳନଗର ଥାନା ଅନ୍ତର୍ଗତ ରାମମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଠାରୁ ପିଲାଚୋରି । ପରେ ପରେ ଡେଲାଙ୍ଗ ରତନପୁର ଅଞ୍ଚଳରେ ଶିଶୁକୁ ଅପହରଣ । ଏ ଘଟଣା ମନରୁ ନଲିଭୁଣୁ ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚଗାଁରୁ ପୁଣି ଅପହୃତ ହୋଇଥିଲା ଚତୁର୍ଥ ଶ୍ରେଣୀର ପିଲା । ପରେ ପରେ ଗତ ୧୯ ତାରିଖରେ ପଳାଶୁଣି ଅଞ୍ଚଳରୁ ୧୧ ବର୍ଷୀୟ ନାବାଳକ ନିଖୋଜ ନେଇ ମଞ୍ଚେଶ୍ୱର ଥାନାରେ ଏତଲା ପରେ ଏହି ଟ୍ରେଣ୍ଡ ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା । ଚାଇଲ୍ଡ ଟ୍ରାଫିକିଂ ରୋକିବା ପାଇଁ ଟେକନିକାଲ ସପୋର୍ଟ ଏଜେନ୍ସି ପକ୍ଷରୁ ତିଆରି ହୋଇଛି ସ୍ପେଶାଲ ସେଲ । କୋର୍ଟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା କୁ କଡାକଡି ପାଳନ ପାଇଁ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ପିଲା ନିଖୋଜ ହେଲେ ତୁରନ୍ତ ମିସିଂ ଚାଇଲ୍ଡ ପୋର୍ଟାଲରେ ପଞ୍ଜିକୃତ କରିବା ସହ ତଦନ୍ତକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶିଶୁ ନିଖୋଜ ହେଲେ ଅଧଘଣ୍ଟା ଭିତରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖୋଜିବା ସହ ସମସ୍ତ ଥାନାକୁ ଫଟୋ ପଠାଯିବ । ଜନଗହଳିପୂର୍ଣ ସ୍ଥାନରେ ପ୍ରଚାର କରାଯିବ । କିନ୍ତୁ ଏସବୁରେ ବ୍ୟତିକ୍ରମ ଯୋଗୁଁ ପିଲା ଚୋରି ରାଜ୍ୟରେ ବଢୁଥିବା କହିଛନ୍ତି ବିଶେଷଜ୍ଞ । ଗତ ବିଧାନସଭା ଅଧିବେଶନରେ ବାରବାଟୀ କଟକ ବିଧାୟକ ସୋଫିଆ ଫିରଦୌସ, ବିଗତ ୮ ମାସରେ କେତେ ଲୋକ ନିଖୋଜ ନେଇ ପଚାରିଥିବା ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ତଥ୍ୟ ମୁତାବକ ୨୦୨୪ ଜୁନ ୧ ରୁ ୨୦୨୫ ଫେବ୍ରୁଆରୀ ୨୮ ମଧ୍ୟରେ ୨୦ ହଜାର ୬୦ ଜଣ ନିଖୋଜ ହୋଇଥିବା ବେଳେ ସେଥିରୁ ଅଧିକାଂଶ ହେଉଛନ୍ତି ଶିଶୁ । ଆର୍ଥିକ ଅନାଟନ, ଶିକ୍ଷା ଦୀକ୍ଷାର ଅଭାବ, ଦାଦନ ପାଇଁ ମଧ୍ୟ ବାପା ମାଆଙ୍କ ଜାଣତରେ ପିଲା ବିକ୍ରି ହେଉଥିବା କହିଛନ୍ତି ରୁଚିକା ଚାଇଲ୍ଡଲାଇନ ନିର୍ଦ୍ଦେଶକ ।
NCRB ର ତଥ୍ୟ ମୁତାବକ ୨୦୨୦ ରେ ୩ ହଜାର ୯୧୫ ଶିଶୁ ଅପହରଣ ହୋଇଥିବା ବେଳେ ୨୦୨୧ ରେ ୫ ହଜାର ୧୯୨ ଓ ୨୦୨୨ ରେ ତୁଳନାତ୍ମକ ଭାବେ ଏହା ୪.୩ ପ୍ରତିଶତ ବୃଦ୍ଧି ପାଇଛି । ଯାହାକୁ ନେଇ ସବୁ ମହଲରୁ ଉଦବେଗ ପ୍ରକାଶ ପାଇଛି ।