ବାବରଙ୍କୁ ସୋଏବଙ୍କ କଟାକ୍ଷ: କହିଲେ- ତୁମ ଦ୍ବାରା କିଛି ହେବନି, ତୁରନ୍ତ ଛାଡ଼ ଅଧିନାୟକତ୍ବ

1 min read

ଲାହୋର: ଦିନିକିଆ ବିଶ୍ବକପରେ ଆଫଗାନିସ୍ତାନ ପାଖରୁ ପାକିସ୍ତାନ ପରାଜିତ ହେବା ପରେ ରାଗରେ ପଞ୍ଚମ ରାଓଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖାତ । ପାକିସ୍ତାନ କ୍ରିକେଟ ବୋର୍ଡ ଓ ବିଶ୍ବକପ୍ ଟିମକୁ କଲେ କଡ଼ା ସମାଲୋଚନା । କହିଲେ- ଏହି ମ୍ୟାଚ ଦେଖିବା ପରେ ମୋ ହୃଦୟ କାନ୍ଦୁଛି । ବାବର ଅଧିନାୟକ ପଦ ଛାଡିବାକୁ କହିବା ସହ ତୁମ ଦ୍ବାରା କିଛି ହୋଇ ପାରିବ ନାହିଁ କହି ଆକ୍ଷେପ କରିଛନ୍ତି ।

ନିଜ ୟୁଟ୍ୟୁବ ଚ୍ୟାନେଲରେ ସୋଏବ କହିଛନ୍ତି, ‘ଏହି ପ୍ରଦର୍ଶନକୁ ଦେଖି ଅଧିକ କିଛି କହି ପାରିବି ନାହିଁ । ଠିକ ଲୋକଙ୍କୁ ଠିକ ସ୍ଥାନରେ ବସାଅ । ଏଠି ଯେ କେହି ବି ଚେୟାମ୍ୟାନ ହୋଇଯାଉଛି । କେତେ ଦିନ ପର୍ଯ୍ୟନ୍ତ ସାଧାରଣ ପାକିସ୍ତାନୀଙ୍କୁ ସାନ୍ତୋନା ଦେଉଥିବା । ଆପଣ ସାଧାରଣ ଲୋକଙ୍କୁ ବଡ଼ ପଦରେ ରଖୁଛନ୍ତି, ଆପଣଙ୍କୁ ଏମିତି ହିଁ ପ୍ରଦର୍ଶନ ଦେଖିବାକୁ ମିଳିବ ।’

ଆଗକୁ ସେ କହିଛନ୍ତି, ‘ଟିଭିରେ ଆଜି ଯାହା ଦେଖିବାକୁ ମିଳିଲା ତାହା ପିସିବିର ପ୍ରକୃତ ରିଫ୍ଲେକ୍ସନ । ଗତ ୨୦ରୁ ୩୦ ବର୍ଷ ହେବ ଆପଣ କ୍ରିକେଟ ପାଇଁ ଯାହା ବାଛୁଛନ୍ତି, ଏହି ପ୍ରଦର୍ଶନ ହେଉଛି ତାହାର ପ୍ରତିଫଳନ ।’

କେବଳ ପାକିସ୍ତାନ ବୋର୍ଡ ନୁହେଁ, ବିଶ୍ବକପ ଦଳକୁ ବି ମନଇଚ୍ଛା ଶୁଣାଇଛନ୍ତି ସୋଏବ । ସେ କହିଛନ୍ତି, ‘ମୁଁ ପାକିସ୍ତାନ ପାଇଁ ଖେଳିଛି । ଏହି ମ୍ୟାଚ ଦେଖି ମୋ ହୃଦୟ କାନ୍ଦୁଛି । ମୁଁ ପାକିସ୍ତାନକୁ ସମର୍ଥନ କରେ । ଯଦି ମୁଁ ବର୍ତ୍ତମାନ ଟିମର ସଦସ୍ୟ ଥାନ୍ତି ତେବେ ବାବରଙ୍କୁ ତୁରନ୍ତ ଅଧିନାୟକତ୍ବ ଛାଡ଼ିବାକୁ କହିଥାନ୍ତି । କାରଣ ତାଙ୍କ ଦ୍ବାରା କିଛି ହୋଇପାରିବ ନାହିଁ ।’ ଏହାସହ ସେ ବାବରଙ୍କୁ ପ୍ରଶ୍ନ କରିଛନ୍ତି, କ’ଣ ତୁମେ ୧୯୯୨ରେ ଇମ୍ରାନଙ୍କ ଭଳି କରିସ୍ମା କରି ପାରିବ ? ବାବରଙ୍କ ପାଖଣେ କ’ଣ ସାହସ ଅଛି, ଷ୍ଟାମିନା ଓ ପ୍ରତିଭା ଅଛି ସେ କିଛି କରି ଦେଖାଇ ପାରିବେ ବୋଲି ସୋଏବ ପ୍ରଶ୍ନବାଣ ଛାଡ଼ିଛନ୍ତି ।’