ବିଷାକ୍ତ ମଦ ପିଇ ବିହାରରେ ୧୩ ମୃତ୍ୟୁ, ଥାନା ଅଧିକାରୀ ନିଲମ୍ବିତ

ପାଟନା: ବିଷାକ୍ତ ମଦ ପିଇ ବିହାର ଛପରା ଜିଲ୍ଲାରେ ପ୍ରାଣ ହରାଇଲେଣି ୧୩ ଜଣ  । କିନ୍ତୁ ସରକାରୀ ଭାବେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ଦୁଇ ଜଣ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଘଟଣାରେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ମଦବନ୍ଦ ଆଇନ ଉଲ୍ଲଙ୍ଘନ ଓ ବେଆଇନ ମଦ୍ୟପାନ ଅଭିଯୋଗରେ ୯୪ ଜଣଙ୍କୁ ଅଟକ ରଖାଯାଇଛି  ।

ବିଷାକ୍ତ ମଦ ମୃତ୍ୟୁ ପରେ ସୋନହୋ ଛକରେ ଚାରି ଘଣ୍ଟା ରାସ୍ତା ଜାମ କରିଛନ୍ତି ଉତ୍ତ୍ୟକ୍ତ ଲୋକେ   । ଏହି ସମୟରେ ଡିଏସପିଙ୍କ ସହ ଆକ୍ରୋଶକାରୀଙ୍କ ପାଟିତୁଣ୍ଡ ଦେଖିବାକୁ ମିଳିଛି  ।

ଅଞ୍ଚଳରେ ଆୟୋଜିତ ଏକ ଉତ୍ସବ ପରେ ଗାଁରେ ଅଧିକାଂଶ ଲୋକେ ମଦ ପିଇଥିଲେ  । ମଦ ପିଇବା ପରେ ଅନେକ ଲୋକ ଅସୁସ୍ଥ ହୋଇପଡିଥିଲେ  । ସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ୧୧ଜଣ ପ୍ରାଣ ହରାଇଛନ୍ତି  । ୧୫ ଜଣ ଦୃଷ୍ଟିଶକ୍ତି ହରାଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ସେପଟେ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୋଗରେ ଅନେକ ଦୋକାନରେ ଚଢାଉ କରିଛି ଅବକାରୀ ବିଭାଗ  । ଚଢାଉ ବେଳେ ୧୩ ଲିଟରରୁ ଅଧିକ ମଦ ଜବତ ହୋଇଛି  । ବିଷାକ୍ତ ମଦ ପିଇ ପ୍ରାୟ ୧୨ରୁ ଅଧିକ ଛପରା ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି  । ଗତ ନଭେମ୍ବରରୁ ବର୍ତ୍ତମାନ ସୁଦ୍ଧା ବିଷାକ୍ତ ମଦ ପିଇ ପ୍ରାୟ ୫୦ ଜଣ ପ୍ରାଣ ହରାଇ ସାରିଲେଣି  ।