ସ୍ନାନ ବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସରିଲା ଦୁଇ ବର୍ଷର ଅପେକ୍ଷା । ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଆଜି  ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଏଥିପାଇଁ ବିଳମ୍ବିତ ରାତିରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି  । ରାତି ୩ଟା ୩୦ରୁ ମଙ୍ଗଳାର୍ପଣ ହୋଇ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି କରାଯାଇଛି  । ୭ଟାରେ ତଡ଼ପ ଲାଗି କରାଯାଉଥିବା ବେଳେ ୮ଟାରେ ଅବକାଶ ନୀତି ସମ୍ପର୍ଣ୍ଣ ହେବ  । ପରେ ୯ଟାରେ ସୂର୍ଯ୍ୟ ପୂଜା କରାଯିବ  । ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ପୂଜା ଓ ସ୍ନାନ କାର୍ଯ୍ୟ କରାଯିବ  । ୧୨ଟା ୧୫ରେ ମହାପ୍ରଭୁଙ୍କୁ ନୂଆ ଲୁଗା ଲାଗି ବେଶ କରାଯିବ  । ୧୨ଟା ୧୫ରୁ ୧୨ଟା ୪୫ ମଧ୍ୟରେ ଛେରା ପହଁରା ପରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ  । ସନ୍ଧ୍ୟା ୬ଟାରେ ସାହାଣ ମେଲା ଓ ରାତି ୧୦ଟାରୁ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହେବ ବାହୁଡ଼ା ପହଣ୍ଡି  । କରୋନା ପାଇଁ ଗତ ଦୁଇବର୍ଷ ସ୍ନାନ ଯାତ୍ରାରୁ ବଞ୍ଚିତ ହୋଇଥିଲେ ଭକ୍ତ  । ଚଳିତ ବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ଭକ୍ତଙ୍କୁ ସ୍ନାନ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିଛି  ।

ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ସହ ପୁରୀରେ ୫ସ୍ତରୀୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୩ କମାଣ୍ଡାଣ୍ଟ, ୧୧ ଜଣ ଅତିରିକ୍ତ ଏସ୍ପି, ୨୧ଜଣ ଡିଏସପି ମୁତୟନ ହୋଇଛନ୍ତି। ୫୦ରୁ ଅଧିକ ଇନ୍ସପେକ୍ଟର,୨ ଶହରୁ ଅଧିକ ଏଏସଆଇ ଓ ଏସଆଇ ମଧ୍ୟ ରହିଛନ୍ତି । ୧ହଜାର କନେଷ୍ଟବଳ ଓ ହୋମ ଗାଡର୍ ସହ ୫୨ ପ୍ଲାଟୁନ୍ ଫୋର୍ସ ରହିଛନ୍ତି ।