ଫେସବୁକ୍ ଲାଇଭରେ ଠାକରେଙ୍କ ସମ୍ବୋଧନ; ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଫେସବୁକ୍ ଲାଇଭରେ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ । ସମ୍ବୋଧନରେ ସେ ବିଦ୍ରୋହୀଙ୍କୁ କଡା ସନ୍ଦେଶ ଦେଇଛନ୍ତି । ବିଦ୍ରୋହୀଙ୍କୁ ସାମ୍ନାକୁ ଆସି ଆଲୋଚନା କରିବା ପାଇଁ ଠାକରେ ଆହ୍ବାନ କରିଛନ୍ତି। ସାମ୍ନାକୁ ଆସିବା ପାଇଁ ସଙ୍କୋଚ ଲାଗୁଥିଲେ ଫୋନ୍ ଯୋଗେ ମଧ୍ୟ ଆମେ କଥା ହୋଇପାରିବା ବୋଲି କହିଛନ୍ତି ଉଦ୍ଧବ ଠାକରେ  । ପୂର୍ବରୁ ବାଲାସାହେବଙ୍କ ଯେଉଁ ହିନ୍ଦୁତ୍ବ ଦଳ ଶିବସେନା ଥିଲା ଏବେ ବି ଅଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ମୋ ଇସ୍ତଫା ଚାହୁଁଥିଲେ ସାମ୍ନାକୁ ଆସି ସ୍ପଷ୍ଟ ଭାବେ କୁହ । ସୁରଟ ଯିବାର କଣ ଆବଶ୍ୟକତା ଥିଲା  । ଯଦି କେହି ବି ଜଣେ ବିଧାୟକ କୁହନ୍ତି ଇସ୍ତଫା କଥା ତେବେ ଇସ୍ତଫା ଦେଇଦେବି  । ମୁଖ୍ୟମନ୍ତ୍ରୀ ପଦ ସହ ଶିବସେନା ଅଧ୍ୟକ୍ଷ ପଦ ଛାଡିବା ପାଇଁ ପ୍ରସ୍ତୁତ ଅଛି  । ଶିବସୈନିକ ମୋ ସହିତ ବିଶ୍ବାସଘାତକତା କରନ୍ତୁ ନାହିଁ। ମୋ ପରେ ଶିବସୈନିକ ମୁଖ୍ୟମନ୍ତ୍ରୀ ହେଲେ ଖୁସି ହେବି  ।  ମୁଁ କୌଣସି ଚ୍ୟାଲେଞ୍ଜକୁ ଡରି ପଛକୁ ହଟିବି ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଉଦ୍ଧବ ଠାକରେ  । ଆଗକୁ ସେ କହିଥିଲେ, ଯଦି ସରକାର ଗଢିବା ପାଇଁ କାହା ପାଖରେ ବହୁମତ ଅଛି ସେ ସରକାର ଗଢନ୍ତୁ  । ମୋର କୌଣସି ଆପତ୍ତି ନାହିଁ  । ମୁଁ ସବୁବେଳେ ଶିବସୈନିକଙ୍କ ସହ ଛିଡା ଅଛି  । ଯଦି ସମସ୍ୟା କିଛି ଅଛି ସାମ୍ନାକୁ ଆସି ଆଲୋଚନା କର  ।

ସୂଚନାଯୋଗ୍ୟ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେ ଗତ ଦୁଇଦିନ ହେବ ୩୦ ରୁ ଉର୍ଦ୍ଧ୍ବ ବିଧାୟକଙ୍କୁ ନେଇ ପ୍ରଥମେ ସୁରଟ ଯାଇଥିଲେ ଏବଂ ଆଜି ଗୌହ୍ବାଟିର ଏକ ହୋଟେଲରେ ଯାଇ ଅଛନ୍ତି  । ୪୬ ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ଥିବା ସିନ୍ଦେ କହିଛନ୍ତି  । ଏପଟେ ସରକାର ଭାଙ୍ଗିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି  । ଶିବସେନା ଯଦି ବିଦ୍ରୋହୀ ବିଧାୟକଙ୍କୁ ମନାଇବାରେ ବିଫଳ ହୁଏ ତେବେ ମହାବିକାଶ ଅଘାଡି ମେଣ୍ଟ ସରକାର  ଭାଙ୍ଗିବାର ଆଶଙ୍କା ଅଧିକ ରହିଛି  । ଅନ୍ୟପକ୍ଷରେ  ବିଜେପି ମଧ୍ୟ ସଠିକ ସମୟକୁ ଅପେକ୍ଷା କରିଛି  ସରକାର ଗଠନ କରିବା ପାଇଁ  ।