ଏନଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କୁ ସମର୍ଥନ ଦେବ ଶିବସେନା, ଉଦ୍ଧବଙ୍କ ଘୋଷଣା

ମୁମ୍ବାଇ: ରାଷ୍ଚ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା  । ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମଙ୍ଗଳବାର ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି  । ଠାକରେ ଦଳର ସାଂସଦ, ବିଧାୟକ ଏବଂ ଆଦିବାସୀ ସମେତ ଅନ୍ୟ ନେତାମାନଙ୍କ ସହ ବିଚାର ବିମର୍ଶ ପରେ ଏହି ଘୋଷଣା କରିଛନ୍ତି । ଶିବସେନାର ଅନେକ ନେତା ଏବଂ ଆଦିବାସୀ ଗୋଷ୍ଠୀର ପଦାଧିକାରୀଙ୍କ ଅନୁରୋଧ କ୍ରମେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା କଥା କହିଛନ୍ତି ଠାକରେ ।

ଏହା ବ୍ୟତୀତ ଠାକରେ କହିଛନ୍ତି ପୂର୍ବରୁ ମଧ୍ୟ ନିଜେ ସ୍ୱତନ୍ତ୍ର ଭାବେ ନିଷ୍ପତ୍ତି ନେଉଥିଲି ଆଉ ଏବେ ମଧ୍ୟ ନେଉଛି । ସୂଚନାଥାଉକି, ଶିବସେନାର ବିଦ୍ରୋହୀ ନେତା ଏକନାଥ ଶିନ୍ଦେ ଠାକରେଙ୍କ ସହ ବିଶ୍ୱାସଘାତକ କରି ବିଜେପି ସହ ସରକାର ଗଠନ କରିଛନ୍ତି  । ନିଜେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି  । ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଆଶଙ୍କା କରାଯାଉଥିଲା ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଶିବସେନା ସମର୍ଥନ କରିବ ନାହିଁ  ।

ହେଲେ ଶିବସେନା ସାଂସଦମାନେ ଠାକରେଙ୍କ ଉପରେ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଚାପ ପକାଇଥିଲେ  । ଆଉ ଏବେ ସାଂସଦମାନଙ୍କ ଜିଦ ଆଗରେ ହାର ମାନି ସମର୍ଥନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଶିବସେନାର ୧୯ ଜଣ ସାଂସଦ ଲୋକସଭାରେ ଅଛନ୍ତି ସେହିପରି ରାଜ୍ୟସଭାରେ ୩ଜଣ ସାଂସଦ ରହିଛନ୍ତି । ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ୨୧ ତାରିଖରେ ଭୋଟ ଗଣତି କରାଯିବ । ଏନଡିଏ ପ୍ରାର୍ଥୀ ଯଦି ନିର୍ବାଚନ ଜିତନ୍ତି ତେବେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଅନ୍ୟପଟେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି  ।