କୋଟିପତି ଶିକ୍ଷକ,ଏପର୍ଯ୍ୟନ୍ତ ଦରମା ବାବଦରେ ପାଇଛନ୍ତି ୩୮ ଲକ୍ଷ କିନ୍ତୁ ସମ୍ପତ୍ତି ୮ କୋଟି !
![](https://nandighoshatv.com/wp-content/uploads/2025/02/111-1024x576.jpg)
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ପରିବହନ ବିଭାଗରେ କାମ କରୁଥିବା ପୂର୍ବତନ କନେଷ୍ଟବଳ ସୌରଭ ଶର୍ମାଙ୍କ ପରେ ଏବେ ଜଣେ ଶିକ୍ଷକଙ୍କ କୋଟି କୋଟି ସମ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି। ଜଣେ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା କରି ଆଜି କୋଟିପତି। ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରୁ ଆସିଛି । ଏକ ସରକାରୀ ସ୍କୁଲରେ ପାଠ ପଢାଉଥିବା ଏହି ଶିକ୍ଷକଙ୍କ ଅପରାଧର ଶାଖା ଲମ୍ବି ଚାଲିଛି। କୋଟିପତି ଶିକ୍ଷକଙ୍କ ଘରେ ଇଓଡବ୍ଲୁର ଚଢାଉ ପରେ ପଦାକୁ ଆସିଛି ସବୁ ତଥ୍ୟ । ସରକାରୀ ଶିକ୍ଷକଙ୍କ ଘରେ ଖୋଳତାଢ଼ ପରେ ଜଣାପଡିଛି ଶିକ୍ଷକଙ୍କ କଳାକାରନାମାର ଅସଲ ଚିତ୍ର । ନିଜ ଶିକ୍ଷକ ଚାକିରୀ କାଳ ମଧ୍ୟରେ ଦରମା ବାବଦରେ ପାଇଛନ୍ତି ୩୮ ଲକ୍ଷ । କିନ୍ତୁ ଆୟ ତୁଳନାରେ ତାଙ୍କ ସମ୍ପତ୍ତିର ମୂଲ୍ୟ ରହିଛି ୮ କୋଟି୩୬ ଲକ୍ଷ । କେବଳ ଏତିକି ନୁହେଁ ତାଙ୍କର ଏବଂ ପରିବାର ସଦସ୍ୟଙ୍କ ନାମରେ ରହିଛି ପୁଣି ୫୨ଟି ପ୍ଲଟ, ୧.୭୦ ଲକ୍ଷର ଘର, ତା ସହ ପୁଣି ୨୧ଟି ଦୋକାନ ମିଳିଛି। ଯାହାକି ଇଓଡବ୍ଲୁ ଅଧିକାରୀଙ୍କୁ ଚମକାଇ ଦେଇଥିଲା।
ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି ଭୌଣ୍ଟି ସହରର ସୁରେଶ ସିଂ ଭାଦୋରିଆ । ବୁଧବାର ଗ୍ବାଲିୟର ପୋଲିସର ଇଓଡବ୍ଲୁ ବିଭାଗ ତାଙ୍କ ଘରେ ଚଢାଉ କରିଥିଲା । ଇଓଡବ୍ଲୁ ଅନୁଯାୟୀ ସୁରେଶ ଏବଂ ତାଙ୍କ ପରିବାର ନାଁରେ ରହିଛି କୋଟି କୋଟି ସମ୍ପତ୍ତି । ଚଢାଉ ପରେ ଏକ ପ୍ରେସ ରିଲିଜରେ ଶିକ୍ଷକ ସୁରେଶଙ୍କ ସମ୍ପତ୍ତିର ହିସାବ ଦେଇଛି ଇଓଡବ୍ଲୁ । ସୁରେଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାଁ ରହିଛି ୫୨ଟି ଜମି । ତା ସହ ୨୧ଟି ଦୋକାନ,ଘର, ୨୩.୪୨ଲକ୍ଷର ସୁନା ଏବଂ ପ୍ରାୟ ୧.୨୮ଲକ୍ଷ ଟଙ୍କାର ରୂପା ଅଳଙ୍କାର ଜବତ କରାଯାଇଛି । ଏହାଛଡା ସ୍କୋର୍ପିଓ କାର୍, ଟ୍ରକ, ଟ୍ରଲି ଟ୍ରାକ୍ଟର, ପଲସର ବାଇକ୍, ଦାମୀ ଜିନିଷପତ୍ର ଏବଂ ତା ସହ ମୋଟ ୮.୩୬କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ତାଙ୍କ ନାଁରେ ରହିଛି ।
ଅନ୍ୟପଟେ ରିପୋର୍ଟ ଅନୁଯାୟୀ ସରକାରୀ ଶିକ୍ଷକତା କରୁଥିବା ସୁରେଶ ତାଙ୍କ ଚାକିରୀ କାଳରେ ଦରମା ବାବଦରେ ଏପର୍ଯ୍ୟନ୍ତ ପାଇଛନ୍ତି ମୋଟ ୩୮.୦୪ ଲକ୍ଷ ଟଙ୍କା। କିନ୍ତୁ ତାଙ୍କ ପାଖରୁ ଜବତ ହୋଇଛି ୮.୩୬ କୋଟି। ଜଣେ ସରକାରୀ ଶିକ୍ଷକଙ୍କ ଦୁର୍ନୀତିର ଖୋଳତାଡ ପରେ ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ଦୃଢ କାର୍ଯ୍ୟନୁଷ୍ଠାନ ଜାରି ରଖିଛି।