ସଙ୍କଟରେ ଉଦ୍ଧବ ସରକାର, ଶାସକ ଦଳର ୨୫ ବିଧାୟକ ଅନ୍ତର୍ଦ୍ଧାନ

ପୁଣେ: ମହାରାଷ୍ଟ୍ରରେ ଏମଏଲସି ନିର୍ବାଚନ ପରେ ରାଜନୈତିକ ସ୍ଥରରେ ହଇଚଇ ସୃଷ୍ଟି ହୋଇଛି । ସରକାରରେ ଅଲ୍ ଇଜ୍ ନଟ୍ ଓ୍ବେଲ୍ ଥିବା ଜଣାପଡ଼ିଛି । ଏବେ ସଙ୍କଟରେ ରହିଛନ୍ତି ଉଦ୍ଧବ ସରକାର ।  ଏମଏଲସି ନିର୍ବାଚନ ପରେ ଶାସକ ଦଳର ୨୫ ବିଧାୟକ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ୨୫ ବିଧାୟକଙ୍କ ଭିତରେ ଅଛନ୍ତି ଶିବସେନାର ବରିଷ୍ଠ ନେତା ତଥା ଉଦ୍ଧବ ସରକାରରେ ମନ୍ତ୍ରୀ ଥିବା ଏକନାଥ ସିନ୍ଧେ । ଏମଏଲସି ନିର୍ବାଚନ ପରେ ଏକନାଥଙ୍କ କୌଣସି ଖବର ନଥିଲା । ଏବେ ଏକନାଥଙ୍କ ସହ ଅନ୍ୟ ସମସ୍ତ ବିଧାୟକ ଗୁଜରାଟର ଏକ ହୋଟେଲରେ ଥିବା କୁହାଯାଉଛି ।

ମହାରାଷ୍ଟ୍ର ଏମଏଲସି ନିର୍ବାଚନରେ ୧୦ଆସନରୁ ୫ଟିରେ ବିଜେପି ବିଜୟୀ ହୋଇଛି । ଏହି ନିର୍ବାଚନରେ ଶିବସେନା ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରେ କ୍ରସ ଭୋଟିଂ ହୋଇଥିବା ବେଳେ ବିଜେପି ଏହାର ଫାଇଦା ଉଠାଇଛି । କ୍ରସ ଭୋଟିଂ ଓ ନିର୍ବାଚନ ରେଜଲ୍ଟକୁ ନେଇ ଏକନାଥ ସିନ୍ଧେ ଖୁସି ନଥିବା କୁହାଯାଉଛି ।

ସୂଚନା ଅନୁସାରେ ଏକନାଥ ସିନ୍ଧେ ଦାବି କରୁଛନ୍ତି ଯେ, ତାଙ୍କ ସପକ୍ଷରେ ୨୦ ଜଣ ବିଧାୟକ ଅଛନ୍ତି । ଅନ୍ୟପଟେ ଆଜି ଅପରାହ୍ମରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୈଠକ ଡାକିଛନ୍ତି । ଏହି ବୈଠକରେ ସମସ୍ତେ ଉପସ୍ଥିତ ରହିବାକୁ କୁହାଯାଇଛି ।

ସେପଟେ ରାଜନୈତିକ ସଙ୍କଟକୁ ନେଇ ମହାରାଷ୍ଟ୍ରରେ ଏକନାଥଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।