ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସସପେନ୍ସ ଜାରି, ‘ବିକଳ୍ପ’ ଫର୍ମୁଲା ଆଡକୁ ଢଳୁଛନ୍ତି ନେତା

1 min read

ମୁମ୍ବାଇ : ଫଳାଫଳ ବାହାରିବାକୁ ସପ୍ତାହେ ବିତିଲାଣି ହେଲେ ଏଯାଏଁ ଛିଣ୍ଡୁନି ମହାରାଷ୍ଟ୍ର ଗଣିତ । ଉଭୟ ଶିବସେନା ଓ ବିଜେପି ପରସ୍ପର ଜିଦ୍‌ରେ ଅଟଳ ଥିବା ବେଳେ ମେଣ୍ଟ ସରକାର ଗଠନ ନେଇ କୌଣସି ତତ୍ପରତା ପ୍ରକାଶ ପାଉନି । ନା ଉଭୟଙ୍କ ଭିତରେ କୌଣସି ଆନୁଷ୍ଠାନିକ ବୈଠକ ବସିଛି ନା ଏକାଠି ରାଜ୍ୟପାଳଙ୍କୁ ଭେଟିଛନ୍ତି । ତେବେ କେମିତି ଗଠନ ହେବ ନୂଆ ସରକାର ? ଶିବସେନା ତ ଠାକରେ ପରିବାରର ଉତ୍ତରାଧିକାରୀ ଆଦିତ୍ୟଙ୍କ ରାଜ୍ୟାଭିଷେକକୁ ନେଇ ଅଢ଼େଇ ବର୍ଷିଆ ମୁକୁଟ ପିନ୍ଧା ନିଷ୍ପତ୍ତିରେ ଅଟଳ। ଏ ଭିତରେ ରାଜନୀତି ସମୀକ୍ଷକ ସେନା ସହ ଏନିସିପି ଓ କଂଗ୍ରେସର ମିଶାଣକୁ ନେଇ ଫର୍ମୂଲା ପ୍ରସ୍ତୁତ କରି ରଖିସାରିଲେଣି । ଯଦି ମହାରାଷ୍ଟ୍ର ରାଜନୀତିର ‘ଦୁଇ ଭାଇ’ଙ୍କ ମନ ନମିଶିଲା ତେବେ ରାଜନୀତିରେ କୌଣସି ବି ଫର୍ମୂଲା କେତେବେଳେ ବି ସମ୍ଭବ । ତେବେ ଏସବୁ ଭିତରେ ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଦୋହରିବ କି ୧୯୯୫ ମସିହା ସରକାର ଗଠନର ଫର୍ମୂଲା ? ୧୯୯୫ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୧୬୯ ଆସନରେ ଲଢ଼ି ୭୩ଟିରେ ବିଜୟୀ ହୋଇଥିଲା ଶିବସେନା । ୧୧୬ ଆସନରେ ପ୍ରତିଦ୍ବନ୍ଦ୍ବିତା କରି ୬୫ ସିଟ୍‌ ପାଇଥିଲା ବିଜେପି । ଯଦିଓ ଉଭୟଙ୍କ ଭିତରେ ସିଟ୍ ବ୍ୟବଧାନ ଏତେ ଅଧିକ ନଥିଲା କିନ୍ତୁ ଅଧିକ ଆସନ ପାଇଥିବା ହେତୁ ଶିବସେନାର ମନୋହର ଗଜାନନ ଯୋଶୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ଓ ବିଜେପିର ଗୋପୀନାଥ ମୁଣ୍ଡେ ହୋଇଥିଲେ ଉପ ମୁଖ୍ୟମନ୍ତ୍ରୀ । ଚୁକ୍ତି ଅନୁସାରେ ଗୃହ, ଅର୍ଥ, ରାଜସ୍ବ ଓ ପିଡବ୍ଲୁଡି ଭଳି ଦୁହାଁଳିଆ ବିଭାଗ ଯାଇଥିଲା ଭାଜପା ଖାତାକୁ । ତେବେ ବର୍ତ୍ତମାନ ସମୟରେ ୫୦-୫୦ ଫର୍ମୂଲାରେ ଅଡ଼ି ବସିଥିବା ଶିବସେନା ୧୯୯୫ ମସିହାରେ ନିଜେ ବନେଇଥିବା ଫର୍ମୂଲାରେ ରାଜି ହେବ କି ? ଯେଉଁଥିରେ ହରିୟାଣା ହିସାବ ଭଳି ବିଜେପିରୁ ମୁଖ୍ୟମନ୍ତ୍ରୀ ଓ ଶିବସେନା ପାଇବ ଉପ ମୁଖ୍ୟମନ୍ତ୍ରୀ ପଦ ? କିନ୍ତୁ ନିଜର ପୁରୁଣା ସୂତ୍ର ଭୁଲି ୫୦-୫୦ ଫର୍ମୂଲାରେ ଅଡ଼ି ବସିଛି ଶିବସେନା ।


ଏଥର ନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ଶିବସେନା ପ୍ରଶ୍ନ କରୁଥିବା ବେଳେ ବିଜେପି ବି ସେନାର ପ୍ରଦର୍ଶନକୁ ସେମିତି ଉତ୍ସାହଜନକ କହୁନି । ଯଦିଓ ଉଭୟଙ୍କ ଗଣିତ ମ୍ୟାଜିକ ନମ୍ବର ଅତିକ୍ରମ କରିଛି । କିନ୍ତୁ ପୂର୍ବଥରର ୧୨୨ ସିଟ୍‌ରୁ ଖସି ବିଜେପି ଏଥର ୧୦୫ ଆସନ ପାଇଥିବା ବେଳେ ୨୦୧୪ ମସିହାରର ଫଳାଫଳ ୬୩ରୁ ଖସି ସେନା ଖାତାକୁ ଯାଇଛି ୫୬ ।

ଯଦି ୧୯୯୫ରେ ବିଜୟ ବ୍ୟବଧାନରେ ବଡ଼ ଫରକ ନଥାଇ ଅଧିକ ଆସନ ପାଇଥିବା ସେନାର ଫର୍ମୂଲାରେ ବିଜେପି ରାଜି ହୋଇଥିଲା, ତେବେ ଏଥର କାହିଁକି ବିଜେପି ପ୍ରସ୍ତାବରେ ଶିବସେନା ରାଜି ହେଉନି ତାକୁ ନେଇ ରାଜନୀତି ପଣ୍ଡିତଙ୍କ ପ୍ରଶ୍ନ ।

-ଅବିନାଶ ଷଡ଼ଙ୍ଗୀ

')}

Leave a Reply