ଆଦିତ୍ୟ ନୁହନ୍ତି, ଏକନାଥ ହେଲେ ଶିବସେନାର ବିଧାୟକ ଦଳ ନେତା
1 min readମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ମନ୍ଥନ କରୁଥିବା ବେଳେ ଶିବସେନାର ବିଧାୟକ ଦଳ ବୈଠକ ବସିଛି । ବୈଠକରେ ଏକନାଥ ସିନ୍ଦେଙ୍କୁ ଶିବସେନା ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଆଦିତ୍ୟ ଠାକରେଙ୍କୁ ଏହି ପଦ ମିଳିବା ନେଇ ସମସ୍ତେ ଆଶା ରଖିଥିବା ବେଳେ ଖୋଦ୍ ଆଦିତ୍ୟ ଏକନାଥଙ୍କ ନାଁ ପ୍ରସ୍ତାବ ରଖିଥିଲେ । ଏକନାଥ ଶିବସେନାର ବିଧାୟକ ଦଳ ନେତା ହୋଇଥିବା ବେଳେ ସୁନୀଲ ପ୍ରଭୁଙ୍କୁ ବିଧାନସଭା ଚିଫ୍ ହ୍ୱିପ୍ ଚୟନ କରାଯାଇଛି ।
ବସିଥିବା ବୈଠକକୁ ସମ୍ବୋଧିତ କରି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ସହ କୌଣସି ଆଲୋଚନା ହୋଇନାହିଁ । ଏପରିକି ୫୦-୫୦ ଫର୍ମୁଲାକୁ ନେଇ ଉଦ୍ଧବ ଫଡନବିସଙ୍କୁ ଇସାରା କରିଛନ୍ତି । ପୂର୍ବରୁ ଆଲୋଚନା ହୋଇଥିବା ନିଷ୍ପତ୍ତିକୁ ନେଇ ଶିବସେନା ଅଟଳ ରହିଛି । ସେଥିରୁ କିଛି କମ୍ ହେଲେ ବି ଚଳିବ ନାହିଁ ବୋଲି ଉଦ୍ଧବ ଠାକରେ କହିଛନ୍ତି ।
ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାୱତ ବିଜେପିକୁ ଇସାରା କରି କହିଛନ୍ତି, ଆମ ବନ୍ଧୁ ସେମାନଙ୍କର ପ୍ରତିଶ୍ରୁତି ଭୁଲି ଯାଇଛନ୍ତି । ଆମେ କହିଥିବା କଥାରୁ ପଛକୁ ହଟିବୁ ନାହିଁ । ଅର୍ଥାତ୍ ଶିବସେନାରୁ ଆଦିତ୍ୟ ଅବା ଆଉ କାହାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ଦଳ ଏବେ ବି ଅଡ଼ି ବସିଛି ।
')}