ସମ୍ଭଲରୁ ମିଳିଲା ୪ ଶହ ବର୍ଷ ପୁରୁଣା ଶିବ ମନ୍ଦିର: ୪୬ ବର୍ଷ ହେଲା ଥିଲା ଜବରଦଖଲରେ, ହେଉ ନଥିଲା ପୂଜାପାଠ

ସମ୍ଭଲ: ଆଳୁ ଖୋଳୁ ଖୋଳୁ ବାହାରିଲେ ମାହାଦେବ । ଏହି ରୁଢ଼ି ଏବେ ସମ୍ଭଲରେ ସତ ହୋଇଛି । ବିଦ୍ୟୁତ ଚୋରି ଯାଞ୍ଚ ପାଇଁ ଯାଇ ପ୍ରଶାସନ ଉତ୍ତର ପ୍ରଦେଶର ଏହି ଚର୍ଚ୍ଚିତ ଅଞ୍ଚଳରୁ ଉଦ୍ଧାର କରିଛି ୪୦୦ ବର୍ଷ ପୁରୁଣା ଶିବ ମନ୍ଦିର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଯାହା ପୁଣି ସମ୍ଭଲକ ନେଇ ସାରା ଦେଶରେ ଚର୍ଚ୍ଚା ବଢ଼ାଇ ଦେଇଛି । ଏହି ମନ୍ଦିର ଉଦ୍ଧାର ପରେ ସମ୍ଭଲ ଅଞ୍ଚଳରେ ଆଉ ଏମିତି କେତେ ମନ୍ଦିର ଜବରଦଖଲ ହୋଇ ରହିଛି ତାକୁ ଖୋଜି ବାହାର କରିବାକୁ ଦାବି ଉଠିବାରେ ଲାଗିଛି ।

ସମ୍ଭଲରେ ପ୍ରଶାସନର ଏବେ ଏକ୍ସନ ଦେଖିବାକୁ ମିଳୁଛି । ଜମା ମସଜିଦ ହିଂସା ପରେ ପୋଲିସ ଓ ପ୍ରଶାସନ ଆହୁରି ଶକ୍ତ ହୋଇଯାଇଛନ୍ତି । ଏବେ ସମ୍ଭଲ ଅଞ୍ଚଳରେ ବିଦ୍ୟୁତ ଚୋରି କରୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଆଜି ପୋଲିସ ଉପସ୍ଥିତରେ ପ୍ରଶାସନ ଜାମା ମସଜିଦ ଅଞ୍ଚଳରେ ବିଦ୍ୟୁତ୍ ଚୋରି କରୁଥିବା ଲୋକଙ୍କ ବିଦ୍ୟୁତ ସଂଯୋଗ କାଟିବା ସହ ଅବୈଧ ଅଧିକ୍ରମଣକୁ ମୁକ୍ତ କରିଛି । ଏହି କାର୍ଯ୍ୟାନୁଷ୍ଠାନ ବେଳେ ଅଞ୍ଚଳରେ ଲୋକଙ୍କ ଦୃଷ୍ଟି ଆଡୁଅଳରେ ଥିବା ଏକ ୪୦୦ ବର୍ଷ ପୁରୁଣା ଶିବ ମନ୍ଦିରର ସନ୍ଧାନ ପାଇଛି ପ୍ରଶାସନ । ୪୬ ବର୍ଷ ଧରି ଏହି ମନ୍ଦିରଟି ମୁସଲିମ ସମ୍ପ୍ରଦାୟ ଲୋକଙ୍କ କବଜାରେ ଥିଲା । ମନ୍ଦିରରେ ଶିବଲିଙ୍ଗ, ହନୁମାନ, ନନ୍ଦୀ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି ଥିବା ଦେଖିବାକୁ ମିଳିଛି ।

ମନ୍ଦିରର ସନ୍ଧାନ ପାଇବା ପରେ ପ୍ରଶାସନ ପକ୍ଷରୁ ଏହାକୁ ନିଜ ଅକ୍ତିଆରକୁ ନିଆଯାଇଛି । ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ମନ୍ଦିର ପାଖରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ଦିରର ଚାରିପାଖ ଖୋଳାଯିବା ସମୟରେ ଏକ କୂଅର ମଧ୍ୟ ସନ୍ଧାନ ମିଳିଛି । ସମ୍ବଲ ଜିଲ୍ଲା ଅଧିକାରୀଙ୍କ କହିବା ଅନୁସାରେ, ମନ୍ଦିରଟି ୪୦୦ ବର୍ଷ ପୁରୁଣା । ଏହାକୁ କବଜା କରିବାକୁ ଯୋଜନାବଦ୍ଧ ଭାବେ ଷଡଯନ୍ତ୍ର କରାଯାଇଥିଲା । ବିଦ୍ୟୁତ ଚୋରି ଖୋଳତାଳ ହୋଇ ନଥିଲେ ମନ୍ଦିର ସତ ସାମ୍ନାକୁ ଆସିପରି ନଥାନ୍ତା ।

ସମ୍ଭଲ ହିଂସା ପରେ ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବା ଓ ବିଦ୍ୟୁତ ଚୋରି ରୋକିବା ବଡ଼ ଚ୍ୟାଲେଞ୍ଜ ଥିଲା । ବର୍ତ୍ତମାନ ପ୍ରଶାସନ ଏହି କାମରେ ଲାଗିଛି । ଏହି ସମୟରେ ମନ୍ଦିରଟିକୁ ଜବରଦଖଲ ମୁକ୍ତ କରିଛି ପ୍ରଶାସନ । କୁହାଯାଉଛି, ୧୯୭୮ ପରଠୁ ହିନ୍ଦୁମାନେ ଏହି ସ୍ଥାନ ଛାଡି ଚାଲିଯାଇଥିଲେ । ଏହା ମଧ୍ୟରେ ୪୬ ବର୍ଷ ହୋଇଗଲାଣି । କୌଣସି ହିନ୍ଦୁ ଏଠାରେ ନଥିବାରୁ ମନ୍ଦିରରେ ପୂଜାପାଠ ବନ୍ଦ ହୋଇଯାଇଥିଲା । କାଳକ୍ରମେ ଏହା ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ଲୋକଙ୍କ ଦ୍ବାରା ଜବରଦଖଲ ହୋଇଯାଇଥିଲା । ଏବେ ଉଦ୍ଧାର ପରେ ମନ୍ଦିରରେ କେମିତି ପୁଣି ଆଗ ଭଳି ପୂଜାପାଠ ଆରମ୍ଭ ହେବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।