ଭୁବନେଶ୍ୱର : ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଜାତୀୟସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମେଳା ଶିଶିର ସରସ- ୨୦୨୪ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୧୫ ତାରିଖ ପର୍ଯ୍ୟନ୍ତ ସକାଳ ୧୧ଟା ୩୦ ରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲିବ ମେଳା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ଓରମାସ ଦ୍ବାରା ଆୟୋଜିତ ଏହି ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪ଶହ ଟି ଷ୍ଟଲ ଖୋଲାଯିବ । ଓଡ଼ିଶାର ୩୦ ଜିଲ୍ଲାରୁ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏବଂ ୨୬ଟି ରାଜ୍ୟର ଉଦ୍ୟୋଗୀଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ, ମସଲା ସାମଗ୍ରୀ ଉପଲବଧ ହେବ । ସେହିପରି ୨୦ଟି ଷ୍ଟଲକୁ ନେଇ ସ୍ୱତନ୍ତ୍ର ଫୁଡ୍ କୋର୍ଟ ସହ, ସେଲଫି ପଏଣ୍ଟ, ଓରମାସର ମାର୍କେଟିଂ, ଲାଇଭଲି ହୁଡସ୍ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍ ଷ୍ଟଲର ବନ୍ଦୋବସ୍ତ କରାଯାଇଛି । ମେଳାରେ ଓପନ କୁଇଜ, ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । 
ପ୍ରଖ୍ୟାତ କଳାକାରମାନେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ସେହିପରି ବରିଷ୍ଠ ନାଗରିକଙ୍କ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ସ୍ବତନ୍ତ୍ର କିଡ୍ସ ଜୋନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ।

