ସିଞ୍ଜୋ ଆବେଙ୍କ ମାନସ ସନ୍ତାନ ‘କ୍ବାଡ’
1 min readନୂଆଦିଲ୍ଲୀ: ହିନ୍ଦ-ପ୍ରଶାନ୍ତ ମହାସାଗରରେ ଚୀନର ଦାଦାଗିରିକୁ କାଉଣ୍ଟର କରିବାକୁ ୪ ଦେଶକୁ ନେଇ ଗଠନ ହୋଇଛି କ୍ବାଡ । ଏଥିରେ ଭାରତ ସମେତ ଆମେରିକା, ଆଷ୍ଟ୍ରେଲିଆ ଓ ଜାପାନ ଅଛନ୍ତି । ତେବେ ଜାଣିଛନ୍ତି କି କେମିତି ଗଠନ ହୋଇଥିଲା କ୍ବାଡ ? କାହା ଉଦ୍ୟମର ସଫଳ ରୂପ ଥିଲା କ୍ବାଡ, ଯିଏ ଏବେ ଚୀନର ନିଦ ହଜାଇ ଦେଇଛି ? ଆଜ୍ଞା ହଁ, ଜାପାନର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିବା ସିଞ୍ଜୋ ଆବେଙ୍କ ମାନସ ସନ୍ତାନ ଥିଲା ଏହି ସଙ୍ଗଠନ । ଯାହାଙ୍କୁ ଏକ ନିର୍ବାଚନୀ ସଭାରେ ଗୁଳି ମାରି ହତ୍ୟା କରି ଦେଇଛି ଜଣେ ଆତତାୟୀ ।
ହିନ୍ଦ-ପ୍ରଶାନ୍ତ ମହାସାଗରରେ ଚୀନର ଦାଦାଗିରିକୁ କାଉଣ୍ଟର କରିବାକୁ ସ୍ବର୍ଗତ ସିଞ୍ଜୋ ୩ ଶକ୍ତିଶାଳୀ ରାଷ୍ଟ୍ର ଭାରତ, ଆମେରିକା ଓ ଆଷ୍ଟ୍ରେଲିଆକୁ କରିଥିଲେ ଏକାଠି । ଆସନ୍ତୁ ଜାଣିବା ସିଞ୍ଜୋଙ୍କ କ୍ବାଡ ଗଠନ ଉଦ୍ୟମ ସମ୍ପର୍କରେ ଯାହା ଚୀନ ବିରୋଧରେ ଭାରତ, ଆମେରିକା, ଆଷ୍ଟ୍ରେଲିଆ ଓ ଜାପାନକୁ ଗୋଟିଏ ଟେବୁଲକୁ ଆଣିବାକୁ ସକ୍ଷମ ହୋଇଥିଲା ।
ସିଞ୍ଜୋଙ୍କ ମାନସ ସନ୍ତାନ ‘କ୍ବାଡ’
୨୦୦୭ ମସିହାରେ ସିଞ୍ଜୋ ଆବେ ଦେଇଥିଲେ କ୍ବାଡ ଗଠନର ପ୍ରସ୍ତାବ । ୨୦୦୭ରେ ଏହାର ଗଠନ ହୋଇଥିଲା । ହେଲେ ଏହା ୧୦ ବର୍ଷ ପର୍ଯ୍ୟନ୍ତ କେବଳ ସ୍ଥାପନାରେ ହିଁ ସୀମିତ ଥିଲା । ୨୦୧୭ରେ ଏହାକୁ ପୁଣି ସକ୍ରିୟ କରାଗଲା । ୨୦୧୯ରେ କ୍ବାଡ ଦେଶଙ୍କ ବିଦେଶ ମନ୍ତ୍ରୀଙ୍କ ବୈଠକ ହୋଇଥିଲା । ୨୦୨୦ କୋଭିଡ ମହାମାରୀ କାରଣରୁ ବୈଠକକୁ ରଦ୍ଦ କରାଯାଇଥିଲା ।
୨୦୨୧ ନଭେମ୍ବରରେ କ୍ବାଡ ଦେଶମାନଙ୍କ ନୌସେନା ଆରବ ସାଗରରେ ଯୁଦ୍ଧାଭ୍ୟାସ କରିଥିଲେ । ଯାହାକୁ ନେଇ ଚୀନ ସରକାରରେ କୋକୁଆ ଭୟ ଖେଳିଯାଇଥିଲା । କ୍ବାଡ ନିଜ ଅସ୍ତିତ୍ବ ଉପରେ ବିପଦ ବୋଲି ଚୀନ ଭାବିବା ସହ ଏହାକୁ ସବୁ ବେଳେ ବିରୋଧ କରି ଆସିଛି ।
କ୍ବାଡ କ’ଣ ?
କ୍ବାଡ ଅର୍ଥାତ କ୍ବାଡିଲେଟରାଲ ସୁକ୍ୟୁରିଟି ଡାୟଲଗ । ଏହା ଜାପାନ, ଭାରତ, ଆମେରିକା ସ ଆଷ୍ଟ୍ରେଲିଆ ମଧ୍ୟରେ ଚୁକ୍ତି । ହିନ୍ଦ-ପ୍ରଶାନ୍ତ ମହାସାଗରରେ ଏହା କାମ କରିଥାଏ । ଯାହାର ଉଦ୍ଦେଶ ସମୁଦ୍ର ରାସ୍ତାରେ ବ୍ୟବସାୟକୁ ସହଜ କରିବା । ହେଲେ ଏବେ ଏହା ବ୍ୟାପାର ସହ ସୈନ୍ୟ ବେସକୁ ଦୃଢ କରିବାରେ ଅଧିକ ଧ୍ୟାନ ଦେଉଛି । ଅର୍ଥାତ ସାମରିକ ସହଭାଗିତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । କାରଣ ଚୀନର ମନମୁଖୀ କାମ ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଥିବା ଦେଶ ଓ ଦ୍ବୀପ ଦେଶଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ଚୀନର ଜବରଦଖଲ ନୀତି ଯୋଗୁଁ ଏହି ଅଞ୍ଚଳର ବହୁ ଦେଶ ନିଜ ଅସ୍ତିତ୍ବକୁ ନେଇ ଚିନ୍ତାରେ ଥିବା ବେଳେ କ୍ବାଡ ସେମାନଙ୍କ ପାଇଁ ଆଶା ସଞ୍ଚାର କରିଛି ଓ ଚୀନ ପାଇଁ କାଳ ସାଜିଛି ।
ପରିବର୍ତ୍ତନର ଅନ୍ୟ ନାଁ ସିଞ୍ଜୋ
କ୍ବାଡ ଗଠନରେ ମୁଖ୍ୟ ଭୂମିକା ନେଇଥିବା ସିଞ୍ଜୋ ଆବେଙ୍କ ହତ୍ୟା ତିନି ସହଯୋଗୀ ରାଷ୍ଟ୍ର ଆମେରିକା, ଭାରତ ଓ ଆଷ୍ଟ୍ରେଲିଆକୁ ଚକିତ କରି ଦେଇଛି । ତିନି ଦେଶର ମୁଖ୍ୟ ଏକ ମିଳିତ ବିବୃତ୍ତିରେ କହିଛନ୍ତି, ‘ସିଞ୍ଜୋ ଆବେଙ୍କ ହତ୍ୟା ଆମକୁ ସ୍ତବ୍ଧ କରିଛି । ସିଞ୍ଜୋ ଜଣେ ପରିବର୍ତ୍ତନକାରୀ ନେତା ଥିଲେ । ତାଙ୍କ ଉଦ୍ୟମରେ ଆମ ଦେଶର ସମ୍ପର୍କ ଜାପାନ ସହ ଅଧିକ ଦୃଢ଼ ହୋଇଛି ।’ ଏହାସହ ଶୁକ୍ରବାର ହ୍ବାଇଟ୍ ହାଉସ ତରଫରୁ ଜାରି ଏକ ବୟାନରେ କୁହାଯାଇଛି କ୍ବାଡ ପ୍ରତିଷ୍ଠାରେ ସିଞ୍ଜୋ ଆବେ ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭାଇ ଥିଲେ ।