ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଫଡନାବିସଙ୍କ ଶପଥ

ମୁମ୍ବାଇ: ମହାରାଷ୍ଟ୍ରରେ ଆରମ୍ଭ ହେଲା ଏକନାଥ ସିନ୍ଦେଙ୍କ ରାଜ୍ । ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ କରାଇଲେ ଶପଥ । ସମସ୍ତଙ୍କୁ ଚକିତ କରି ଉପମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାବିସ୍ ନେଇଛନ୍ତି ଶପଥ ।

ଶିବସେନାର ୩୮ ବିରୋଧୀ ବିଧାୟକଙ୍କ ବଳରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ପାଖରେ ଅଛି ବିଜେପିର ୧୦୬ ବିଧାୟକଙ୍କ ସମର୍ଥନ । ଫଡ଼ନାବିସ୍ ମୁଖ୍ୟମନ୍ତ୍ରୀ ହେବା ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଥିଲା । ହେଲେ ସମସ୍ତଙ୍କୁ ଚକିତ କରି ବିଜେପି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା । ଏହା ନିଜେ ଫଡ଼ନାବିସ୍ ହିଁ ଘୋଷଣା କରିଥିଲେ । ଏହାସହ ବିଜେପି ସିନ୍ଦେଙ୍କ ସରକାରକୁ ସମର୍ଥନ ଦେବ ବୋଲି ମଧ୍ୟ ଫଡ଼ନାବିସ୍ କହିଥିଲେ । କ୍ଷମତା ପାଇଁ ନୁହେଁ ବିଜେପି ହିନ୍ଦୁତ୍ବ ପାଇଁ ସିନ୍ଦେଙ୍କୁ ସମର୍ଥନ ଦେଇଥିବା ଫଡ଼ନାବିସ୍ କହିଥିଲେ । ଏହି ସମୟରେ ଫଡ଼ନାବିସ୍ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ସୂଚନା ଦେଇନଥିଲେ । ହେଲେ ଶପଥ ଗ୍ରହଣ ଉତ୍ସବରେ ସିନ୍ଦେଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଫଡ଼ନାବିସ୍ ଶପଥ ନେଇଛନ୍ତି ।