ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଶିକାରୀମାନେ ଗୁଳିକରି ହତ୍ୟା ଘଟଣା, ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
1 min read
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କୁ ଶିକାରୀମାନେ ଗୁଳିକରି ହତ୍ୟା ଘଟଣା । ଝାଡ଼ଖଣ୍ଡରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରେ ଥିବା ବାଲେଶ୍ବର ଏସପି ସାଗରିକା ନାଥ ଏନେଇ ସ୍ପଷ୍ଟ କରିଛନ୍ତି । ଝାଡ଼ଖଣ୍ଡର ପୂର୍ବ-ସିଂହଭୂମ ଜିଲ୍ଲା ମୁଷାବଣୀ ଗାଁରେ ରେଡ୍ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ସମୟରେ ଦେଶୀ ବନ୍ଧୁକ, ଟାଙ୍ଗିଆ, ଧନୁତୀର, ଜାଲ, ସାଇକେଲ ବଲ୍, ବେରିଂ ଜବତ କରାଯାଇଛି ।
ଏହି ମାମଲାରେ ପୂର୍ବରୁ ୫ ଜଣ ଶିକାରୀଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ୧୦ଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା । ଏବେ ବି ଅନ୍ୟ ୧୯ ଅଭିଯୁକ୍ତ ଫେରାର ଅଛନ୍ତି । ଗତ ୨୨ ତାରିଖରେ ଶିମିଳିପାଳ ଅଭୟାରଣ୍ୟରେ ୨୬ ଜଣ ଶିକାରୀ ଶିକାର କରି ଫେରୁଥିବାବେଳେ, ଫରେଷ୍ଟ ଗାର୍ଡ ବିମଳ ଜେନା ତାଙ୍କୁ ପ୍ରତିରୋଧ କରିଥିଲେ । ଏହି ସମୟରେ ଗଣ୍ଡଗୋଳ ହେବାରୁ ଶିକାରୀମାନେ ଗୁଳିକରି ତାଙ୍କୁ ହତ୍ୟା କରିଥିଲେ ।