ଆହାର କେନ୍ଦ୍ରକୁ ଆଚାର ଯୋଗାଇବେ ସ୍ୱୟଂ ସହାୟକ ଗୋଷ୍ଠୀ: ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ
ବ୍ରହ୍ମପୁର: ଏଣିକି ଆହାର କେନ୍ଦ୍ରରେ ମିଳିବ ପ୍ରସିଦ୍ଧ ବ୍ରହ୍ମପୁର ଆଚାର । ୧୦ ଜିଲ୍ଲାକୁ ବ୍ରହ୍ମପୁରରୁ ଯୋଗାଣ ହେବ ଆଚାର । ଏହାର ପ୍ରସ୍ତୁତି ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ମହିଶୂରରେ ତାଲିମ ନେବା ପରେ ଏଥିପାଇଁ କାମ ଆରମ୍ଭ କରିଦେଇଛନ୍ତି ବିଘ୍ନେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଏହା ଦ୍ୱାରା ମହିଳାମାନେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ଯୋଗାଇବେ ରୋଜଗାର । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ।
୧୦ ଜିଲ୍ଲାରେ ମହକିବ ବ୍ରହ୍ମପୁର ଆଚାର । ଆହାର କେନ୍ଦ୍ରରେ ମିଳିବ ସ୍ୱାଦିଷ୍ଟ ଆଚାର । ମହିଶୂରରେ ତାଲିମ ନେଲେ ମହିଳା ଗୋଷ୍ଠୀ । ବର୍ଷରେ ତିଆରି ହେବ ୨୦ ଟନ୍ ଆଚାର । ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲାରେ ଥିବା ଆହାର କେନ୍ଦ୍ରକୁ ବ୍ରହ୍ମପୁର ସ୍ୱୟଂ ସହାୟକ ଗୋଷ୍ଠୀ ଆଚାର ଯୋଗାଣ କରିବେ । ଏଥିପାଇଁ ବିଇଏମସିରେ ନିର୍ମାଣ ହେବ ଆଚାର ଉତ୍ପାଦନ କେନ୍ଦ୍ର । ଆମ୍ବ, ଲେମ୍ବୁ ଓ ମିକ୍ସ ଆଚାର ପ୍ରସ୍ତୁତି ନେଇ ମହିଶୂରରେ ସଂଗଠନର ମହିଳାମାନଙ୍କୁ ଟ୍ରେନିଂ ପ୍ରଦାନ କରାଯାଇଛି ।
ସହରର ମୀନାକ୍ଷୀ ନଗରଠାରେ ଆଚାର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବ ଆଚାର ପାଇଁ ଗଜପତିରୁ ଆମ୍ବ ଆସୁଥିବା ବେଳେ ଫୁଲବାଣୀରୁ ହଳଦି ଓ କୋରୋପୁଟରୁ ଅଦା ଆସୁଛି । ପୂର୍ବରୁ ଏହି ମହିଳା ମାନେ ଆଚାର, ପାମ୍ପଡ଼ ପ୍ରସ୍ତୁତ କରି ସହରରେ ବିକ୍ରିବଟା କରୁଥିଲେ । ଏବେ ସରକାର ଏହି ଦାୟିତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳା ଗୋଷ୍ଠୀ ।