ସମାଜ ଓ ସରକାର ମଧ୍ୟରେ ଏସଏଚଜି ସେତୁ: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ବର: ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି । ପରିବାରକୁ ଗଢ଼ିବା ସହ ଏବେ ସମାଜକୁ ଗଢ଼ିବାର ଗୁରୁଦାୟିତ୍ବକୁ ନିଷ୍ଠାର ସହ ତୁଲାଉଛନ୍ତି । ମା ଭଉଣୀମାନଙ୍କୁ ଅଧିକ ସଶକ୍ତ କରିବାକୁ ଏଣିକି ବିନା ସୁଧରେ ୫ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯିବ । ଏହା ମହିଳାମାନଙ୍କୁ ଅଧିକ ଆର୍ଥିକ ସ୍ବାଧୀନତା ଦେବ । ମେକ ଇନ ଓଡ଼ିଶା କନକ୍ଳେଭର ଶକ୍ତି ସମାବେଶରେ ଏହା କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

ମହିଳାମାନଙ୍କ ସ୍ବତନ୍ତ୍ର ଅଧିବେଶନରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି, ମହିଳା ଏସଏଚଜିଗୁଡ଼ିକ ରାଜ୍ୟରେ ଏବେ ସରକାର ଓ ସମାଜ ମଧ୍ୟରେ ସେତୁର କାମ କରୁଛନ୍ତି । ମହିଳାମାନଙ୍କୁ ଆହୁରି ଆଗକୁ ନେବାକୁ ମିଶନଶକ୍ତି ବିଭାଗ ସଂକଳ୍ପବଦ୍ଧ । ବିଭିନ୍ନ ସଂସ୍ଥା ସହ ବିଭାଗ ପକ୍ଷରୁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ବଢ଼ିବ । ଫ୍ଲିପକାର୍ଟ ସହ ଆମର ଏମଓୟୁ ପରେ ଏଣିକି ଆମ ମହିଳାଙ୍କ ହାତ ତିଆରି ଜିନିଷ ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି ହେବ ।

ଆର୍ନ୍ତଜାତିକ ବଜାରରେ ପହଞ୍ଚିବ ଓଡ଼ିଶା ମହିଳାଙ୍କ ସାମଗ୍ରୀ । ମହିଳା ଏସଏଚଜିଗୁଡ଼ିକୁ ସରକାର ଅଧିକ ସହଯୋଗ ଓ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ମହିଳାଙ୍କ ବିକାଶର ଧାରା ସମଗ୍ର ଦେଶକୁ ରାସ୍ତା ଦେଖାଇବ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ।