ଖେଳରେ ଧର୍ମ, ଭାରତ ବିରୋଧରେ ବିଜୟକୁ ଇସଲାମର ବିଜୟ କହିଲେ ପାକ୍ ମନ୍ତ୍ରୀ

1 min read

ଇସଲାମାବାଦ: ସୁଯୋଗ ପାଇବା ମାତ୍ରେ ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରଶିଦ ଭାରତ ବିରୋଧରେ ବିଷ ଉଗାରିବାକୁ ପଛାଇ ନଥାନ୍ତି । ସେ ପଛେ ଖେଳ ହୋଇଥାଉ । ଏଥିରେ ବି ଧର୍ମକୁ ପୂରାଇ ରାଜନୀତି କରିବା ଓ ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ଟି-୨୦ ବିଶ୍ବକପରେ ଭାରତ-ପାକିସ୍ତାନ ମ୍ୟାଚକୁ ଦୁଇ ଧର୍ମ ମଧ୍ୟରେ ଯୁଦ୍ଧ ଭଳି ବିବାଦୀୟ ବୟାନ ଦେଇଛନ୍ତି ରଶିଦ । ପାକିସ୍ତାନଠାରୁ ଭାରତ ହାରିବାକୁ ରଶିଦ ଇସଲାମର ବିଜୟ କହିଛନ୍ତି । ଏହାସହ ଭାରତୀୟ ମୁସଲମାନଙ୍କ ସମେତ ପୂରା ବିଶ୍ବରେ ରହୁଥିବା ମୁସଲିମଙ୍କୁ ଉତ୍ସବ ମନାଇବାକୁ ଆହ୍ବାନ ଦେଇଛନ୍ତି ।

ରଶିଦ କହିଛନ୍ତି, ‘ବ୍ୟସ୍ତତା କାରଣରୁ ମୁଁ ଭାରତ ଓ ପାକିସ୍ତାନ ମ୍ୟାଚ୍ ଦେଖି ପାରିନଥିବାରୁ ଦୁଃଖିତ । ହେଲେ ଏହି ବିଜୟ ଉତ୍ସବ ପାଳନରେ ଯେମିତି କୌଣସି ସମସ୍ୟା ନ ହେବ ସେଥିପାଇଁ ଇସଲାମାବାଦ ଓ ରାଓ୍ବଲପିଣ୍ଡରେ ଲାଗିଥିବା ସମସ୍ତ ଟ୍ରାଫିକ ପ୍ରତିବନ୍ଧକ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛି ।’ ସୂଚନାଯୋଗ୍ୟ, ଉଗ୍ରବାଦୀ ଟିଏଲପିର ବାରମ୍ବାର ଆକ୍ରମଣ କାରଣରୁ ଦୁଇ ସହରରେ ରାସ୍ତା ଜାମ କରାଯାଇ ଏଠାକୁ ଆସୁଥିବା ଲୋକଙ୍କ ଚେକିଂ କରାଯାଉଛି । ବିଜୟ ଉତ୍ସବ ପାଇଁ ଏହାକୁ ହଟାଇ ଦେବାକୁ ରଶିଦ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲିର ମ୍ୟାଚକୁ ସେ ଫାଇନାଲ ବୋଲି କହିବା ସହ ପାକିସ୍ତାନୀ ଟିମ୍ ଓ ପାକିସ୍ତାନୀ ଜନସାଧାରଣଙ୍କୁ ବିଜୟର ଶୁଭକାମନା ଜଣାଇଛନ୍ତି ।

ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ବତ୍ତର୍ମାନ ଦେଶର ପ୍ରଧାନମନ୍ତ୍ରୀ ଥିବା ଇମରାନ ଖାନ୍ ପାକିସ୍ତାନୀ ଟିମକୁ ବିଜୟ ପାଇଁ ଶୁଭକାମନା ଦେଇଛନ୍ତି । ଇମରାନ ଟ୍ବିଟ କରି କହିଛନ୍ତି, ‘ପାକିସ୍ତାନ ଟିମ, ବିଶେଷ କରି ଅଧିନାୟକ ବାବର ଆଜମଙ୍କୁ ଶୁଭକାମନା ଜଣାଉଛି । ଏହାସହ ରିଜଓ୍ବାନ ଏବଂ ଶାହୀନ ଅଫ୍ରିଦଙ୍କୁ ଶୁଭେଚ୍ଛା, ଦେଶ ତୁମକୁ ନେଇ ଗର୍ବ କରୁଛି ।’

ସୂଚନାଯୋଗ୍ୟ, ପାକିସ୍ତାନ ସୁପର୍ ୧୨ ମ୍ୟାଚରେ ନିଜର ପ୍ରଥମ ମ୍ୟାଚରେ ଭାରତକୁ ହରାଇଛି । ଏହାସହ କୌଣସି ବିଶ୍ବକପ୍ ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତକୁ ହରାଇବାକୁ ସକ୍ଷମ ହୋଇଛି ।

Leave a Reply