ବାଂଲାଦେଶରେ ଆମେରିକା ରଚିଥିଲା ଷଡଯନ୍ତ୍ର, ପାକିସ୍ତାନ କରିଥିଲା କାର୍ଯ୍ୟକାରୀ: ଶେଖ ହସିନା
ନନ୍ଦିଘୋଷ ବ୍ୟୁରୋ: କ୍ଷମତାରୁ ଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଛାତ୍ର ଆନ୍ଦୋଳନ ପରେ ହୋଇଥିବା କ୍ଷମତା ପରିବର୍ତ୍ତନକୁ ନେଇ ଆମେରିକା ଓ ପାକିସ୍ତାନକୁ ଟାର୍ଗେଟ କରିଥିବା ବେଳେ ବାଂଲାଦେଶର ଅନ୍ତରିଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନସଙ୍କୁ କାଠଗଢ଼ାରେ ଛିଡ଼ା କରିଛନ୍ତି । ସେ କହିଛନ୍ତି, ମୋ ବିରୋଧରେ ଷଡଯନ୍ତ୍ର ଆମେରିକାର କରାଯାଇଥିଲା । ପାକିସ୍ତାନ ଏହାକୁ କାର୍ଯ୍ୟକାରୀ କରିଥିଲା । ଏପରିକି ଏହାକୁ ହସିନା ଆତଙ୍କବାଦୀ ଆକ୍ରମଣ କହି ଅବିହିତ କରିଛନ୍ତି ।
ଦି ପ୍ରିଣ୍ଟ ସହ ଆଲୋଚନା ବେଳେ ହସିନା କହିଛନ୍ତି, ଗତ ବର୍ଷ ଜୁଲାଇ-ଅଗଷ୍ଟରେ ହୋଇଥିବା ଘଟଣାର ଷଡଯନ୍ତ୍ର ବିଦେଶରୁ କରାଯାଇଥିଲା । ମୋତେ କ୍ଷମତାରୁ ହଟାଇବା ଏହାର ଉଦ୍ଦେଶ୍ୟ ଥିଲା । ଏହାକୁ କେବେ ବି କ୍ରାନ୍ତି କୁହାଯାଇପାରିବ ନାହିଁ । ଏହା ବାଂଲାଦେଶ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ଥିଲା । ଏହାକୁ ଆମେରିକା ରଚିଥିବା ବେଳେ ପାକିସ୍ତାନ କାର୍ଯ୍ୟକାରୀ କରିଥିଲା । ଯାହାକୁ ଛାତ୍ର ଆନ୍ଦୋଳନର ରୂପ ଦିଆଯାଇଥିଲା । ଯେଉଁ ହତ୍ୟା ଅଭିଯୋଗ ମୋ ସରକାର ଉପରେ ଲଗାଯାଇଛି ତାହା ପୋଲିସ ନୁହେଁ ଆତଙ୍କବାଦୀ କରିଛନ୍ତି । ବାଂଲାଦେଶର ଲୋକଙ୍କୁ ମୋ ବିରୋଧରେ ଛିଡ଼ା କରିବାକୁ ଏପରି କରାଯାଇଥିଲା ।
ହସିନାଙ୍କ ଟାର୍ଗେଟରେ ୟୁନସ୍
ନୋବେଲ ପୁରସ୍କାର ବିଜେତା ତଥା ବର୍ତ୍ତମାନ ବାଂଲାଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଥିବା ମହମ୍ମଦ ୟୁନସଙ୍କୁ ଶେଖ ହସିନା ସିଧାସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି, ଆମେରିକା କହିବାରେ ସେ ମୋତେ କ୍ଷମତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ । ବଙ୍ଗ ଖାଡିରେ ଥିବା ରଣନୈତିକ କ୍ଷେତ୍ର ସେଣ୍ଟ ମାର୍ଟିନ ଦ୍ବୀପ ଉପରେ ଆମେରିକା ନିୟନ୍ତ୍ରଣ ଚାହୁଁଥିଲା । ମୁଁ ମାନି ଯାଇଥିଲେ, ମୋ ସରକାରର କିଛି ହୋଇ ନଥାନ୍ତା । ହେଲେ ମୁଁ ନିଜ ଦେଶ ବିକ୍ରି କରିବାକୁ ମନା କରିଦେଇଥିଲି ।
ଆଗକୁ ସେ କହିଛନ୍ତି, ଆମେରିକା କହିବାରେ ଗତବର୍ଷ ଜୁଲାଇ-ଅଗଷ୍ଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ୟୁନସ ଯୋଜନା କରିବା ସହ ଅର୍ଥ ଯୋଗାଡ କରିଥିଲେ । ସେ ଜଣେ ବିଶ୍ବାସ ଘାତକ ବ୍ୟକ୍ତି, ନିଜ ଆଶା ପୂରଣ କରିବାକୁ ଦେଶକୁ ବର୍ବାଦ କରିଦେଲେ ।
ପାକିସ୍ତାନକୁ ସିଧା ଟାର୍ଗେଟ
ଶେଖ ହସିନା ବାଂଲାଦେଶ ସ୍ଥିତି ପାଇଁ ପାକିସ୍ତାନକୁ ମଧ୍ୟ ଦାୟୀ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନ କଟରପନ୍ଥୀ ଦୀର୍ଘବର୍ଷ ହେଲା ବାଂଲଶଦେଶରେ ଉଗ୍ରବାଦୀଙ୍କୁ ସମର୍ଥନ ନେଉଥିଲେ । ୧୯୭୧ରୁ ଉଗ୍ରବାଦୀଙ୍କୁ ସମର୍ଥନ ଦେବା ଭଳି ଏବେ ବି ପାକିସ୍ତାନ ଏହାକୁ ଜାରି ରଖିଛି ।

