ବାଂଲାଦେଶର ଅନ୍ତରୀଣ ଶାସକ ମହମ୍ମଦ ୟୁନୁସଙ୍କୁ ଟାର୍ଗେଟ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା

1 min read

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ଅନ୍ତରୀଣ ଶାସକ ମହମ୍ମଦ ୟୁନୁସଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଟାର୍ଗେଟ । ଦେଶରେ ସଂଖ୍ଯାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଲାଗି ୟୁନୁସଙ୍କୁ ଦାୟୀ କରିଛନ୍ତି ହସିନା । ନ୍ୟୁୟର୍କରେ ଉଦବୋଧନ ଦେଇ ହସିନା କହିଛନ୍ତି- ଦେଶରେ ବର୍ତ୍ତମାନ ଏକପ୍ରକାର ଗଣହତ୍ଯା ଚାଲିଛି । ହିନ୍ଦୁ ସମେତ ସଂଖ୍ଯାଲଘୁଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି । ବାପା ଶେଖ ମୁଜିବୁର ରେହମାନଙ୍କ ପରି ତାଙ୍କୁ ଓ କନ୍ଯା ଶେଖ ରେହେନାଙ୍କୁ ହତ୍ଯା କରିବା ଲାଗି ଷଡ଼ଯନ୍ତ୍ର କରାଯାଇଥିଲା ବୋଲି ସେ କହିଛନ୍ତି । ବିଗତ ୧୯୭୫ରେ ଏକ ବିଦ୍ରୋହ ଜରିଆରେ ମୁଜିବୁରଙ୍କୁ ହତ୍ଯା କରାଯାଇଥିଲା।

ବାଂଲାଦେଶରେ ଗତ ଅଗଷ୍ଟରେ ବିଦ୍ରୋହ କାରଣରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିବା ହସିନାଙ୍କ ନ୍ୟୁୟର୍କ ଭାଷଣ ଥିଲା ପ୍ରଥମ ସର୍ବସାଧାରଣ ଭାଷଣ। ସେ କହିଛନ୍ତି- ଗତ ଅଗଷ୍ଟ ୫ ତାରିଖରେ ସଶସ୍ତ୍ର ଆନ୍ଦୋଳନକାରୀମାନେ ଗଣଭବନ ଦିଗରେ ମାଡି ଆସିଥିଲେ । ଯଦି ନିରାପତ୍ତାବାହିନୀ ଗୁଳିଚାଳନା କରିଥାନ୍ତେ ତେବେ ଅନେକ ଆନ୍ଦୋଳନକାରୀଙ୍କ ମୃତ୍ଯୁ ଘଟିଥାନ୍ତା । ମାତ୍ର ତାହା କରାଯାଇ ନଥିଲା । ତାଙ୍କୁ ବାଧ୍ଯତାମୂଳକ ଭାବେ ଦେଶ ଛାଡିବା ଲାଗି ବ୍ଯବସ୍ଥା କରାଯାଇଥିଲା । ବର୍ତ୍ତମାନ ଦେଶରେ ଗଣହତ୍ଯା ଚାଲିଛି ଏବଂ ସେଥିରେ ସାମିିଲ ଅଛନ୍ତି ୟୁନୁସ । ହିନ୍ଦୁ, ବୌଦ୍ଧ ଓ ଖ୍ରୀଷ୍ଟିଆନ ଆଦି ସଂଖ୍ଯାଲଘୁଙ୍କ ସୁରକ୍ଷା ଲାଗି ବର୍ତ୍ତମାନର ସରକାର ଅକ୍ଷମ ବୋଲି ସେ କହିଛନ୍ତି । ଦେଶରେ ଚର୍ଚ୍ଚଗୁଡିକୁ ଜାଳିଦିଆଯାଉଛି । ମନ୍ଦିର ଓ ବୌଦ୍ଧ ସ୍ତୂପଗୁଡିକୁ ଭାଙ୍ଗିଦିଆଯାଉଛି । ଇସ୍କନ ନେତାମାନଙ୍କୁ ଗିରଫ କରାଯାଉଛି । ଇସ୍କନ ଧର୍ମଗୁରୁ ଚିନ୍ମୟ କ୍ରିଷ୍ଣା ଦାସଙ୍କୁ ବି ଗିରଫ କରାଯାଇଛି । ଲୋକମାନେ ବର୍ତ୍ତମାନ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି । ବାଂଲାଦେଶର ବିଜୟ ଦିବସ ଅବସରରେ ନ୍ୟୁୟର୍କରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ।

ସେପଟେ ପଶ୍ଚିମବଙ୍ଗ ମାଲଦାରେ ହୋଟେଲ ମାଲିକମାନେ ନେଇଛନ୍ତି କଡା ପଦକ୍ଷେପ। ବାଂଲାଦେଶୀଙ୍କୁ ହୋଟେଲ ରୁମ୍ ଭଡ଼ାରେ ଦେବେ ନାହିଁ ବୋଲି ନେଇଛନ୍ତି ନିଷ୍ପତ୍ତି।