ନୂଆ ପ୍ରଧାନମନ୍ତ୍ରୀ ଦୌଡରେ କାହିଁକି ସାମିଲ ହୋଇଛି ନଓ୍ବାଜ ସରିଫଙ୍କ ଭାଇଙ୍କ ନାଁ ?

1 min read

ଇସଲମାବାଦ୍: ଇମ୍ରାନ ଖାଁଙ୍କ ପରାଜୟ ପରେ ଏବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା । ତେବେ ବିରୋଧୀ ଦଳ ନେତା ତଥା ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ ସରିଫଙ୍କ ଭାଇ ଶେହବାଜ ସରିଫ ଯେ ମୁକୁଟ ପିନ୍ଧିବେ ଏହା ସ୍ପଷ୍ଟ ହୋଇଛି । ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ଲାଗି ବେଶ୍ ଗୋଟିଚାଳନା କରି ଆସୁଥିଲେ ୭୦ ବର୍ଷ ବୟସ୍କ ଶେହବାଜ ।

ଦେଶର ଶକ୍ତିଶାଳୀ ସେନା ସହ ଉତ୍ତମ ସମ୍ପର୍କ ରଖି ଆସିଥିବା ଶେହବାଜ କୂଟନୈତିକ ସ୍ତରରେ ବେଶ୍ ପାରଦର୍ଶୀ । ଅତୀତରେ ପାକିସ୍ତାନ ପଞ୍ଜାବ ପ୍ରଜାତନ୍ତ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଶେହବାଜ ଚୀନର ଜଣେ ଭଲ ବନ୍ଧୁ ଭାବେ ଜଣାଶୁଣା । ଚୀନ ପାଣ୍ଠି ଜରିଆରେ ଚାଲିଥିବା ଅନେକ ପ୍ରକଳ୍ପର ସେ ଦେଖାଶୁଣା କରିଥିଲେ । ୧୯୯୯ରେ ଦେଶରେ ସାମରିକ ବିଦ୍ରୋହରେ ଶେହବାଜ ଗିରଫ ହୋଇଥିଲେ ଏବଂ ସାଉଦିଆରବରେ ନିର୍ବାସିତ ଜୀବନ କାଟିଥିଲେ । ୨୦୦୭ ରେ ଶେହବାଜ ସ୍ବଦେଶ ଫେରିଥିଲେ । ୨୦୧୭ରେ ପାନାମା ପେପର୍ସ ମାମଲାରେ ଭାଇ ନଓ୍ବାଜ ସରିଫ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ ଦଳର ନେତୃତ୍ବ ନେଇ ଆସୁଛନ୍ତି ଶେହବାଜ ।

ସୂଚନା ଅନୁସାରେ, ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମୁକାବିଲା କରିବାରେ ଇମ୍ରାନ ସରକାର ଫେଲ୍ ହେବାରୁ ବିରୋଧୀ ଦଳ ତାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଗତ ଏପ୍ରିଲ ୩ ତାରିଖରେ ଏହି ପ୍ରସ୍ତାବ ଉପରେ ଭୋଟିଂ ଥିଲା । ମାତ୍ର ଏହାକୁ ବିଦେଶୀ ଷଡଯନ୍ତ୍ର କହି ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବ ଖାରଜ କରି ଦେଇଥିଲେ । କିନ୍ତୁ ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ଲାଗି କଳବଳ ଲଗାଇଥିବା ବିରୋଧୀ ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

No Confidence Motion Imran Khan To Be Arrested

ଏହାପରେ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କୁ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିବା ସହ ଏପ୍ରିଲ ୯ରେ ପୁନଃ ମତଦାନ ପାଇଁ ରାୟ ଶୁଣାଇଥିଲେ । ହେଲେ ଶନିବାର ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଭୋଟିଂକୁ ନେଇ ଆଲୋଚନା ବେଳେ ଶାସକ ଓ ବିରୋଧିଙ୍କ ମଧ୍ୟରେ ହଙ୍ଗାମା ହୋଇଥିଲା । ଫଳରେ ଦିନ ପ୍ରାୟ ସାଢେ ୧୨ଟା ସମୟରେ ବାଚସ୍ପତି ଗୃହ କାର୍ଯ୍ୟ ମୁଲତବୀ ଘୋଷଣା କରିଥିଲେ । ସେପଟେ କୌଣସି ସ୍ଥିତିରେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ । ଦିନ ସାରା ଡ୍ରାମା ପରେ ରାତି ଅଧରେ ପୁଣି ସଂସଦ ବୈଠକ ବସିଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବା ସହ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ଯେଉଁଥିରେ ଶେଷରେ ଇମ୍ରାନ ଖାନ ପରାଜିତ ହୋଇଛନ୍ତି ।