CBIକୁ ଚିଠି ଲେଖିଲେ ଇନ୍ଦ୍ରାଣୀ ମୁଖାର୍ଜୀ; କହିଲେ ସିନା ବୋରା ବଞ୍ଚିଛନ୍ତି, ତାଙ୍କୁ କାଶ୍ମୀରରେ ଖୋଜନ୍ତୁ

ମୁମ୍ବାଇ: ବହୁ ଚର୍ଚ୍ଚିତ ସିନା ବୋରା ମର୍ଡର କେସରେ ନୂଆ ଟ୍ୱିଷ୍ଟ । ସିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଦୋଷୀ ଇନ୍ଦ୍ରାଣୀ ମୁଖାର୍ଜୀ ଏକ ବଡ଼ ଦାବି କରିଛନ୍ତି । ଝିଅ ବଞ୍ଚିଛି କହିଲେ ସିନାଙ୍କ ହତ୍ୟାକାରୀ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ । ସେ କାଶ୍ମୀରରେ ରହୁଛନ୍ତି ବୋଲି ଦାବି କରିଛନ୍ତି ଇନ୍ଦ୍ରାଣୀ । ସିବିଆଇ ଡାଇରେକ୍ଟରଙ୍କୁ ଚିଠି ଲେଖି ସିନା ବଞ୍ଚିଥିବା ସେ ଦାବି କରିଛନ୍ତି । ଇନ୍ଦ୍ରାଣୀ ମୁଖାର୍ଜୀ ଚିଠିରେ ଲେଖିଛନ୍ତି କି ସିନା କାଶ୍ମୀରରେ ରହୁଛନ୍ତି । ନିକଟରେ ଜେଲରେ ସେ ଜଣେ ମହିଳାଙ୍କୁ ଭେଟିଥିଲେ । ସମ୍ପୃକ୍ତା ମହିଳା କାଶ୍ମୀରରେ ସିନା ବୋରାଙ୍କୁ ଭେଟିଥିଲେ ବୋଲି କହିଛନ୍ତି । ସିବିଆଇ ସିନାଙ୍କୁ କାଶ୍ମୀରରେ ଖୋଜିବାକୁ ଚିଠିରେ ଇନ୍ଦ୍ରାଣୀ ଉଲ୍ଲେଖ କରିଛନ୍ତି ।

୨୦୧୨ରେ ସିନା ବୋରାଙ୍କ ହତ୍ୟାକାଣ୍ଡ ହୋଇଥିଲା । ଏପ୍ରିଲରେ ସିନାଙ୍କୁ ହତ୍ୟା କରାଯାଇଥିବା ବେଳେ ମେ’ ୨୩ରେ ରାୟଗଡ଼ର ଏକ ଜଙ୍ଗଲରୁ ମୃତଦେହ ମିଳିଥିଲା । ଏହି ମାମଲାରେ ସିନାଙ୍କ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇ ୨୦୧୫ରୁ ମୁମ୍ବାଇର ବାୟକୁଲା ଜେଲରେ ଅଛନ୍ତି । ଗତମାସରେ ବମ୍ବେ ହାଇକୋର୍ଟ ଇନ୍ଦ୍ରାଣୀଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ସୂଚନା ଅନୁସାରେ ଇନ୍ଦ୍ରାଣୀ ମୁଖାର୍ଜୀ ଜାମିନ ପାଇଁ ସୁପ୍ରିମକୋର୍ଟ ଯାଇ ପାରନ୍ତି ।

ମୁମ୍ବାଇରେ ଏକ ଘର ଦେବା ପାଇଁ ସିନା ତାଙ୍କ ମାଆ ଇନ୍ଦ୍ରାଣୀଙ୍କୁ ବ୍ଲାକମେଲ କରୁଥିଲେ । ତେଣୁ ଇନ୍ଦ୍ରାଣୀ ସିନାଙ୍କ ଗଳା ଚିପି ହତ୍ୟା କରିଥିଲେ । ୨୦୧୫ରେ ଯେତେବେଳେ ଏହି ମାମଲା ସାମ୍ନାକୁ ଆସିଥିଲା ସେ ସମୟର ଯାଞ୍ଚରେ ଜଣା ପଡ଼ିଥିଲା କି ଇନ୍ଦ୍ରାଣୀ ମୁମ୍ବାଇର ବାନ୍ଦ୍ରାରେ ସିନାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଏହା ପରେ ସିନାଙ୍କ ଶବକୁ ରାୟଗଡ ଜିଲ୍ଲାରେ ଫିଙ୍ଗି ଦେଇଥିଲେ । ପୋଲିସ ସେଠାରୁ ସିନାଙ୍କର ଦେହାବଶେଷ ପାଇଥିବା କଥା ମଧ୍ୟ ଦାବି କରିଥିଲେ। କିନ୍ତୁ ଇନ୍ଦ୍ରାଣୀ ମୁଖାର୍ଜୀ ଏହି କଥାକୁ ଅସ୍ୱୀକାର କରିଥିଲେ।

Leave a Reply