ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଶଶି ଥରୁରଙ୍କୁ କ୍ଲିନଚିଟ୍‌

 ନୂଆଦିଲ୍ଲୀ:  ବିଶିଷ୍ଟ ବ୍ୟବସାୟୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ସ୍ୱାମୀ ତଥା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ କ୍ଲିନଚିଟ ମିଳିଛି । ଶଶି ଥରୁରଙ୍କୁ ଦୋଷମୁକ୍ତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦୋଷମୁକ୍ତ ହେବା ପରେ ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କୁ ଶଶି ଧନ୍ୟବାଦ ଜଣାଇଛନ୍ତି । ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲା ଦିଲ୍ଲୀ ପୋଲିସ । ଦୀର୍ଘ ସାଢ଼େ ୭ବର୍ଷ ଧରି ଚାଲିଥିବା ମାମଲାର ଶୁଣାଣି କରି ଆଜି ଶଶି ଥରୁରଙ୍କୁ କ୍ଲିନଚିଟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ।

୨୦୧୪ ଜାନୁୟାରୀ ୧୭ ତାରିଖରେ ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ଥିବା ଲିଲା ପ୍ୟାଲେସ୍ ହୋଟେଲରୁ ସୁନନ୍ଦା ପୁଷ୍କରଙ୍କ ମୃତଦେହ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଥିଲା । ଏହା ହତ୍ୟା, ଆତ୍ମହତ୍ୟା ନା ଅଘଟଣ ଏହାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଲା ସସ୍‌ପେନ୍ସ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପ୍ରଥମେ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଥିବା ବେଳେ ପରେ ଏହା ଏକ ଅସ୍ୱାଭାବିକ ମୃତ୍ୟୁ ବୋଲି ରିପୋର୍ଟ ଆସିଥିଲା ।

ଉକ୍ତ ଘଟଣାକୁ ନେଇ ତଳ କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ। କାଶ୍ମୀରରେ ଜନ୍ମିତ ସୁନନ୍ଦାଙ୍କର ଦୁବାଇରେ ପାରିବାରିକ ବ୍ୟବସାୟ ଓ ନିଜସ୍ୱ ସମ୍ପତ୍ତି ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସୁବ୍ରମଣ୍ୟମ ସ୍ୱାମୀ ଅଭିଯୋଗ କରିଥିଲେ । ସୁନନ୍ଦାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଅଟୋପ୍‌ସୀ ରିପୋର୍ଟରୁ ଜଣାପଡ଼ିଥିଲା । ତେବେ ଡ୍ରଗ ଓଭରଡୋଜ୍ ଯୋଗୁଁ ସୁନନ୍ଦାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ଏବେ ଥରୁରଙ୍କୁ କ୍ଲିନଚିଟ ପରେ ପୁଷ୍କର ଭୂତ କବଳରୁ ମୁକୁଳିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା ।

Leave a Reply