ସୋନିଆ ଗାନ୍ଧୀଙ୍କ ଗ୍ରୀନ୍ ସିଗନାଲ, ଶଶୀ ଥରୁର ହୋଇପାରନ୍ତି ପରବର୍ତ୍ତୀ ଏଆଇସିସି ସଭାପତି

ନୂଆଦିଲ୍ଲୀ: କିଏ ହେବେ ଏଆଇସିସିର ପରବର୍ତ୍ତୀ ସଭାପତି ? ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଗ୍ରୀନ ସିଗନାଲ ଦେଇଥିବା ନେଇ ଚର୍ଚ୍ଚା । ସେପଟେ ଏଆଇସିସି ସଭାପତି ଲାଗି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ଦଳରେ ବ୍ୟାପକ ପରିବର୍ତ୍ତନ ଲାଗି ଦୀର୍ଘ ଦିନ ଧରି ଶଶୀ ଥରୁର ଦାବି କରିଆସୁଥିଲେ । ଆସନ୍ତା ମାସରେ କଂଗ୍ରେସର ସଭାପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଶଶୀଙ୍କ ଲାଗି ସୋନିଆ ଗ୍ରୀନ ସିଗନାଲ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଦେଶରୁ ମେଡିକାଲ ଚେକ୍ ଅପ୍ ସାରି ସୋନିଆ ଫେରିବା ପରେ ଶଶୀଙ୍କ ସମେତ କେତେକ କଂଗ୍ରେସ ନେତା ତାଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ବେଳେ ଶଶୀଙ୍କୁ ପରବର୍ତ୍ତୀ ଏଆଇସିସି ସଭାପତି କରିବା ଲାଗି ସୋନିଆ ଗ୍ରୀନ ସିଗନାଲ ଦେଇଥିବା କୁହାଯାଇଛି । ଦଳରେ ବ୍ୟାପକ ପରିବର୍ତ୍ତନ ଲାଗି କିଛି ଯୁବ ନେତାଙ୍କ ସହ ସୋନିଆଙ୍କ ନିକଟରେ ଦାବି କରିଥିଲେ ଶଶୀ ।

ସେପଟେ ରାହୁଲ ଗାନ୍ଧୀଙ୍କୁ ଏଆଇସିସି ସଭାପତି କରିବା ଲାଗି କ୍ଷେତ୍ର ପ୍ରସ୍ତୁତ ଚାଲିଛି । ଅଧିକରୁ ଅଧିକ ରାଜ୍ୟ ରାହୁଲଙ୍କୁ ଲାଗି ଗୃହୀତ କରିବାରେ ଲାଗିଛନ୍ତି ପ୍ରସ୍ତାବ । ପ୍ରଥମେ ରାଜସ୍ଥାନ, ଛତିଶଗଡ଼ ଓ ପୁଡୁଚେରୀ ପ୍ରସ୍ତାବ ଗୃହୀତ କରିବା ପରେ ବର୍ତ୍ତମାନ ସୁଦ୍ଧା ୫ଟି ରାଜ୍ୟ ରାହୁଲଙ୍କ ସପକ୍ଷରେ ପ୍ରସ୍ତାବ ଗୃହୀତ କରିସାରିଲେଣି । ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ରହିଛନ୍ତି ଗୁଜରାଟ, ତାମିଲନାଡ଼ୁ, ବିହାର । ମହାରାଷ୍ଟ୍ର ଓ ଜାମ୍ମୁ ଓ କାଶ୍ମୀର କଂଗ୍ରେସ ଶାଖା ମଧ୍ୟ ରାହୁଲଙ୍କୁ ସମର୍ଥନ କରିଥିବା ସୂଚନା ମିଳିଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ବ୍ୟାପକ ବିପର୍ଯ୍ୟୟ ହେବା ପରେ ସଭାପତି ପଦରୁ ଇସ୍ତଫା ଦେଇଥିଲା ରାହୁଲ ଗାନ୍ଧୀ । ପରେ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।