ଦଳ ଛାଡିବେ କି କଂଗ୍ରେସ ହେଭିୱେଟ ଶଶୀ ଥରୁର ?

1 min read

ନୂଆଦିଲ୍ଲୀ : ଦଳ ଛାଡିବେ କି କଂଗ୍ରେସ ହେଭିୱେଟ ଶଶୀ ଥରୁର। ଥିରୁବନନ୍ତପୁରମ ସାଂସଦଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେରଳର ଏଲଡିଏଫ ସରକାରଙ୍କୁ ପ୍ରଶଂସା କରି ବିବାଦ ଘେରକୁ ଆସିଥିଲେ ଶଶୀ। ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ବର୍ତ୍ତମାନ ସମୟର ଆବଶ୍ଯକତା ବୋଲି କହିଥିଲେ ଶଶୀ। ଏହା ସହ କେରଳ କଂଗ୍ରେସରେ କେହି ନେତା ନାହାନ୍ତି ବୋଲି ସେ କହିଥିଲେ। ସେ ଥିରୁବନନ୍ତପୁରମରୁ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। କେରଳ ଓ ଦେଶର ବିକାଶ ସମ୍ପର୍କରେ ସେ ଯେପରି ସ୍ବାଧୀନ ମତ ପ୍ରକାଶ କରିଆସୁଛନ୍ତି ତାହାକୁ ଲୋକେ ସମର୍ଥନ କରୁଛନ୍ତି। ସେ ଦଳ ଲାଗି ଉପଲବ୍ଧ। ମାତ୍ର ତାଙ୍କର ଆବଶ୍ୟକତାକୁ ଯଦି କଂଗ୍ରେସ ଚାହିଁବ ନାହିଁ ତେବେ ତାଙ୍କ ନିକଟରେ ବିକଳ୍ପ ରହିଛି ବୋଲି ସେ କହିଛନ୍ତି। ଏକ ପଡକାଷ୍ଟ କାର୍ଯ୍ଯକ୍ରମରେ ଯୋଗଦେଇ ଶଶୀ ଏହା କହିବା ପରେ ଦେଶବ୍ଯାପୀ ଆରମ୍ଭ ହୋଇଛି ଚର୍ଚ୍ଚା। ୨୦୨୪ ଲୋକସଭା ନିର୍ବାଚନ ପରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପ୍ରସଙ୍ଗରେ ସେ କହିଥିଲେ- ଦଳର ଅଙ୍ଗୀକୃତ ଭୋଟରଙ୍କ ସମେତ ଅନ୍ଯାନ୍ୟ କ୍ଷେତ୍ରରୁ ଭୋଟରଙ୍କୁ ଟାଣିବାର ଆବଶ୍ୟକତା ରହିଛି। ତାଙ୍କ ପ୍ରତି ମିଳିଥିବା ବିଭିନ୍ନ କ୍ଷେତ୍ରରୁ ସମର୍ଥନ ଏହାର ଉଦାହରଣ। ଯଦି କଂଗ୍ରେସ ନିଜର ଭୋଟର ପରିସର ନବଢାଏ ତେବେ ତୃତୀୟ ଥର ଲାଗି କେରଳରେ କଂଗ୍ରେସ ବିରୋଧୀ ଦଳ ଆସନରେ ବସିବ। ଆସନ୍ତା ବର୍ଷ ହେବାକୁ ଯାଉଛି କେରଳ ନିର୍ବାଚନ। ଦେଶରେ କଂଗ୍ରେସର ଭୋଟ ହାର ରହିଛି ୧୯ ପ୍ରତିଶତ। ତେଣୁ ନିଜର ଅଙ୍ଗୀକୃତ ଭୋଟରଙ୍କ ଭୋଟରେ ଦଳ ବିଜୟୀ ହୋଇପାରିବ ନାହିଁ ବୋଲି କହିଛନ୍ତି ଥରୁର। ମନମୋହନ ସିଂ, ସୋନିଆ ଗାନ୍ଧୀ ଓ କେରଳ ନେତା ରମେଶ ଚେନିଥାଲାଙ୍କ ଆହ୍ବାନ କ୍ରମେ ସେ ଜାତିସଂଘ ପଦବୀ ଛାଡି ରାଜନୀତିରେ ସାମିଲ ହୋଇଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେରଳର ପିନରୟୀ ବିଜୟନ ନେତୃତ୍ବାଧୀନ ଏଲଡିଏଫ ସରକାରଙ୍କୁ ପ୍ରଶଂସା କରି ବିବାଦ ସୃଷ୍ଟି କରିଥିଲେ ଥରୁର। ମୋଦୀଙ୍କ ଆମେରିକା ଗସ୍ତକୁ ନେଇ ଥରୁର କହିଥିଲେ- ଦଳୀୟ ସ୍ବାର୍ଥରେ ସଦାବେଳେ ମତ ଦେବା ଅନୁଚିତ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଥରୁରଙ୍କର ବି ନାହିଁ ଭଲ ସମ୍ପର୍କ। ତେଣେ ଥରୁରଙ୍କ ମନ୍ତବ୍ଯକୁ ପ୍ରଶଂସା କରିଛି ଏଲଡିଏଫ। ୨୦୧୧ରୁ ୨୦୧୬ କଂଗ୍ରେସ ସରକାର ଥିବାବେଳେ ୨୦୧୬ରୁ  କେରଳରେ ଶାସନ କରୁଛି ସିପିଏମ ନେତୃତ୍ବାଧୀନ ଏଲଡିଏଫ। ୧୪୦ ସଦସ୍ଯବିଶିଷ୍ଟ ବିଧାନସଭାରେ ଏଲଡିଏଫର ୯୮ ସଦସ୍ଯ ଥିବାବେଳେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫର ସଦସ୍ଯ ସଂଖ୍ଯା ରହିଛି ୪୧।