ସେୟାର ମାର୍କେଟ କ୍ରାସ, ଦିନକରେ ନିବେଶକଙ୍କ ପ୍ରାୟ ୯ ଲକ୍ଷ କୋଟି ସ୍ଵାହା

ଭୁବନେଶ୍ବର : ଫେବୃଆରୀର ଶେଷ ଦିନରେ ସେୟାର ମାର୍କେଟ କ୍ରାସ। ଲଗାତର ପଞ୍ଚମ ମାସ ଲାଗି ଖସିଛି ଭାରତୀୟ ସେୟାର ବଜାର। ସେନସେକ୍ସ ୧୪୧୪ ପଏଣ୍ଟ ଖସି ୭୩ ହଜାର ୧୯୨ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ୨୨ ହଜାର ୨ଶହ ପଏଣ୍ଟ ତଳେ ବନ୍ଦ ହେଲା ନିଫଟି। ସେୟାର ବଜାରରେ ଦିନକରେ ନିବେଶକଙ୍କ ପ୍ରାୟ ୯ ଲକ୍ଷ କୋଟି ଟଙ୍କା   ସ୍ଵାହା ହୋଇଯାଇଛି। ଲଗାତାର ୫ ମାସ ମଧ୍ୟରେ ନିବେଶକ ସେୟାର ବଜାରରେ ୮୫ ଲକ୍ଷ କୋଟି ହରାଇଲେଣି। ସୂଚକାଙ୍କ ହ୍ରାସରେ ୨୯ ବର୍ଷର ରେକର୍ଡ ଭାଂଗିଲା ନିଫଟି। ୧୯୯୬ରେ ଲଗାତାର ୫ ମାସ ଧରି ନିଫଟି ହ୍ରାସ ପାଇଥିଲା। ଏହାର ୨୯ ବର୍ଷ ପରେ ପୁଣି ନିଫଟିରେ ଭାରି ହ୍ରାସ ଦେଖିବାକୁ ମିଳିଛି। ୧୯୯୬ ନଭେମ୍ବରରେ ନିଫଟିରେ ଅତ୍ୟଧିକ ହ୍ରାସ ଦେଖିବାକୁ ମିଳିଥିଲା। ଲଗାତାର ୫ ମାସ ମଧ୍ୟରେ ନିଫଟି ୨୬ ପ୍ରତିଶତ ତଳକୁ ଖସିଥିଲା। ତେବେ ଏବେ ଯେଉଁ ହ୍ରାସ ଜାରି ରହିଛି, ସେଥିରେ ୧୧. ୬୮ ପ୍ରତିଶତ ଖସିଛି ନିଫଟି। ପୂର୍ବତନ ହ୍ରାସ ତୁଳନାରେ ବର୍ତ୍ତମାନର ହ୍ରାସ କମ ରହିଛି। ବିଏସଇରେ ତାଲିକାଭୁକ୍ତ କମ୍ପାନୀ ଗୁଡିକର ସେୟାର ୮୫ ଲକ୍ଷ କୋଟି ଖସି ୩୯୩ ଲକ୍ଷ କୋଟି ରହିଛି। ସେୟାର ମାର୍କେଟ ହ୍ରାସର କାରଣ ଅନେକ ରହିଛି। ତେବେ ମୁଖ୍ୟତଃ ବିଶ୍ଵ ବଜାରରେ ଟ୍ରେଡ୍ ୱାର ମୁଖ୍ୟ ବୋଲି କୁହାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଓ ମେକ୍ସିକୋ ଉପରେ ଲଗାଇଥିବା ୨୫ ପ୍ରତିଶତ ଟାରିଫ୍ ଆସନ୍ତା ୪ ମାର୍ଚ୍ଚରୁ ଲାଗୁ କରିବାକୁ ଘୋଷଣା କରିଥିଲେ। ତେବେ ଏହାକୁ ୨ ମାର୍ଚ୍ଚରୁ ଲାଗୁ କରିବାକୁ ସଙ୍କେତ ଦେଇଛି ଆମେରିକା। ଏହାକୁ ନେଇ ବିଶ୍ଵ ବଜାରରେ ହଲଚଲ ହୋଇଛି। ଏହାସହ ଚୀନ ସାମଗ୍ରୀ ଉପରେ ୧୦ ପ୍ରତିଶତ ଅତିରିକ୍ତ କର ଲଗାଇଛି ଆମେରିକା।ଯାହାକୁ ନେଇ ବିଶ୍ଵ ବଜାରରେ ଟ୍ରେଡ୍ ୱାରର ଆଶଂକା ବଢିଛି। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଦେଶ ଦେଶ ମଧ୍ୟରେ ଏହି ବାଣିଜ୍ୟ ଯୁଦ୍ଧ ଆହୁରି ତୀବ୍ର ହୋଇଛି। ଅନ୍ୟପଟେ ଏସିଆ ସେୟାର ବଜାରରେ ମଧ୍ୟ ଦେଖାଦେଇଥିବା ମାନ୍ଦାବସ୍ଥା ସେୟାର ମାର୍କେଟ୍ ହ୍ରାସ ହେବା ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ଆମେରିକା ସେୟାର ବଜାରରେ ମାନ୍ଦାବସ୍ଥା ସ୍ଥିତି ସାରା ଦୁନିଆର ସେୟାର ମାର୍କେଟ କ୍ରାସ ହେବାର ମଧ୍ୟ ଆଉ ଏକ କାରଣ ବୋଲି ବିଶେଷଜ୍ଞ କହୁଛନ୍ତି।