ରେକର୍ଡ ଛୁଇଁଲା ସେୟାର ବଜାର, ୭୬ ହଜାର ପଏଣ୍ଟ ପାର କଲା ସେନସେକ୍ସ
ନନ୍ଦିଘୋଷ ବ୍ୟୁରୋ : ସେୟାର ବଜାରରେ ଏକଜିଟ ପୋଲର ବଡ଼ ପ୍ରଭାବ । ସପ୍ତାହର ପ୍ରଥମ କାରବାରି ଦିନରେ ଭାରତୀୟ ସେୟାର ବଜାର ସୋମବାର ଦିନ ନୂଆ କିର୍ତ୍ତିମାନ ସ୍ଥାପନ କରିଛି । ବଜାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରକୁ ଛୁଇଁଛନ୍ତି । ସେନସେକ୍ସ ୭୬ ହଜାର ପଏଣ୍ଟ ଅତିକ୍ରମ କରିଥିବା ବେଳେ ନିଫ୍ଟି ଉପରେ ମଧ୍ୟ ଆଜି ବୁଲ ମାର୍କେଟର ପ୍ରଭାବ ଦେଖିବାକୁ ମିଳିଥିଲା । ନିଫ୍ଟି ଆଜି ୨୩ ହଜାର ପଏଣ୍ଟ ଅତିକ୍ରମ କରିଛି । ସେହିଭଳି ଭୟର ସୂଚକାଙ୍କ ଭାବେ ପରିଚିତ ଇଣ୍ଡିଆ ଭିକ୍ସ ୨୦ରୁ କମରେ ଅଛି ।
ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ହିଁ ଏପରି ରେକର୍ଡ ଛୁଇଁଲା ସେୟାର ବଜାର । ସେନସେକ୍ସ ରେ ୨ହଜାର ପଏଣ୍ଟ ବୃଦ୍ଧି ସହ କାରବାର ଆରମ୍ଭ ହୋଇଛି । ୭୬ ହାର ପଏଣ୍ଟ ପାର କରିଛି ସେନସେକ୍ସ, ସେହିପରି ୬୦୦ପଏଣ୍ଟ ବୃଦ୍ଧି ସହ ୨୩ ହଜାର ପଏଣ୍ଟ ପାର କରିଛି ନିଫ୍ଟି । ମାର୍କେଟ ଧାରାକୁ ଦେଖିଲେ ଅଧିକ ଅଭିବୃଦ୍ଧି ନେଇ ଆକଳନ କରାଯାଉଛି । ରିପୋର୍ଟ ଲେଖିବା ସମୟରେ ସେନେସକ୍ସ ଏବଂ ନିପ୍ଟ ଏହି ପଏଣ୍ଟରେ କାରବାର କରୁଥିଲା । ଏହାର ପ୍ରଭାବ ସୁନା ଏବଂ ରୂପା ଦରରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।
ବଜାର ମୋଦି ସରକାରର ପ୍ରତ୍ୟାବର୍ତ୍ତନକୁ ନେଇ ଆଶାବାଦୀ ଥିବାରୁ ଏଭଳି ବ୍ୟବହାର କରୁଛି ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ମାର୍କେଟ ବିଶେଷଜ୍ଞଙ୍କ ଅନୁସାରେ ମୋଦି ସରକାର ଯଦି ଜୁନ ୪ ତାରିଖରେ ୩୫୦ରୁ ଅଧିକ ଆସନ ପାଏ ତେବେ ସେୟାର ବଜାରରେ ୧୦ ପ୍ରତିଶତ ବୃଦ୍ଧି ଘଟିବ ବୋଲି କହୁଛନ୍ତି । ସେହିଭଳି ଯଦି ମୋଦି ସରକାର ସଂଖ୍ୟାଗରିଷ୍ଠତା ପାଏ ନାହିଁ ତେବେ ବଜାର ୧୦ ପ୍ରତିଶତ ମଙ୍ଗଳବାର ଦିନ ହ୍ରାସ ପାଇପାରେ ବୋଲି ଆଶଙ୍କା ରହିଛି ।