୯ ମାସର ସବୁଠାରୁ ଖରାପ ସ୍ତରରେ ଶେୟାର ବଜାର: ୩ ମିନିଟରେ ବୁଡ଼ିଲା ୧.୩୩ ଲକ୍ଷ କୋଟି ଟଙ୍କା
1 min read
ସେନସେକ୍ସ ଓ ନିଫ୍ଟୀ ମଙ୍ଗଳବାର ଦିନ ୯ ମାସର ସବୁଠାରୁ ଖରାପ ସ୍ତରରେ ପହଞ୍ଚିଛି । ଏହି କାରଣ ପାଇଁ ଶେୟାର ବଜାର ନିବେଶକଙ୍କୁ ୧.୩୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ମାର୍ଚ୍ଚ ମାସର ଦ୍ବିତୀୟ କାରବାର ଦିନରେ ଶେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି । ବଜାର ଖୋଲିବାର ମାତ୍ର ୩ ମିନିଟ ଭିତରେ ସେନସେକ୍ସରେ ୪୫୦ରୁ ଅଧିକ ଅଙ୍କ କମିଯାଇଥିଲା ଓ ୯ ମାସର ସବୁଠାରୁ ଖରାପ ସ୍ତରରେ ପହଞ୍ଚି ଯାଇଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ଲାଗୁ କରାଯାଇଥିବା ଟାରିଫ, ୟୁକ୍ରେନ-ଋଷ ମଧ୍ୟରେ ଚାଲିଥିବା ଓ୍ବାର ଦ୍ବାରା ସୃଷ୍ଟି ହୋଇଥିବା ଜିଓପଲିଟିକାଲ ଟେନସନ ଶେୟାର ବଜାର ହ୍ରାସର ପ୍ରମୁଖ କାରଣ ।
ତେବେ ମାର୍ଚ୍ଚରେ ଶେୟାର ବଜାରରେ ଏପରି ନିମ୍ନମୁଖୀ ସ୍ଥିତି ଜାରି ରହିବ ବୋଲି କୁହାଯାଉଛି । ତେବେ ଫେବୃଆରୀ ପରି ଏହି ହ୍ରାସ ହେବ ନାହିଁ । ଯଦି ଏପରି ହୁଏ, ତେବେ ସେନସେକ୍ସ ଓ ନିଫ୍ଟୀ ଉଭୟ ଲାଲ ପ୍ରତୀକରେ ବନ୍ଦ ହେବେ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ସେନସେକ୍ସ ସକାଳ ୧୦ଟା ସମୟରେ ୧୯୦ ଅଙ୍କ ତଳକୁ ଖସିବା ସହ ୭୨,୮୯୭.୭୦ ଅଙ୍କରେ କାରବାର କରିଥିଲା । ବଜାର ଖୋଲିବାର ୩ ମିନିଟ୍ ଭିତରେ ୪୫୨.୪ ଅଙ୍କ ହ୍ରାସ ଘଟିବା ସହ ୭୨,୬୩୩.୫୪ ଅଙ୍କକୁ ଚାଲିଆସିଥିଲା । ଅନ୍ୟପକ୍ଷରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ନିଫ୍ଟୀ ୫୦ ଅଙ୍କ ହ୍ରାସ ସହ କାରବାର କରିଥିଲା । ସକାଳ ୧୦ଟାରେ ନିଫ୍ଟୀ ୬୪.୭୫ ଅଙ୍କ ଖସିବା ସହ ୨୨,୦୫୪.୫୫ ଅଙ୍କରେ କାରବାର କରୁଥିଲା । କାରବାର ସେସନ ସମୟରେ ନିଫ୍ଟୀ ୨୧,୯୬୪.୦୦ ଅଙ୍କ ଦେଖିବାକୁ ମିଳିଥିଲା । ସୋମବାର ଦିନ ମଧ୍ୟ ଶେୟାର ବଜାରରେ ୧୦୦ରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା ।