ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଖସୁଛି ଭାରତୀୟ ସେୟାର ବଜାର

1 min read

ମୁମ୍ବାଇ: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ କଞ୍ଚା ତେଲ ଦର ୪ ପ୍ରତିଶତରୁ ଅଧିକ ଦର ବୃଦ୍ଧି ହୋଇଛି  । ଭାରତ ବ୍ରିଟିଶ ପେଟ୍ରୋଲିୟମ ଲିମିଟେଡର ସେୟାର ୨.୩୫% ପର୍ଯ୍ୟନ୍ତ ଖସିଯାଇଛି  । କୋରୋନା ମହାମାରୀ ଓ ଋଷ ୟୁକ୍ରେନ ସଂଘର୍ଷ ପରେ ଏବେ ଇସ୍ରାଏଲ ଓ ପାଲେଷ୍ଟାଇନ ଗ୍ରୁପ ହମାସ ମଧ୍ୟରେ ଜାରି ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ ପ୍ରଭାବିତ ହୋଇଛି  । ଭାରତ ସମେତ ସମଗ୍ର ଦୁନିଆର ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି  । ଇସ୍ରାଏଲ ସେୟାର ମାର୍କେଟ ପ୍ରଥମେ ବୁଡିବା ପରେ ଏବେ ଭାରତୀୟ ସେୟାର ବଜାର ଇଣ୍ଡେକ୍ସ ପାଖାପାଖି ୫୦୦ ଅଙ୍କ ପର୍ଯ୍ୟନ୍ତ ଖସିଛି  ।

ସକାଳ ୯ଟା ସୁଦ୍ଧା ୪୫୨ ଅଙ୍କ ଖସି ୬୫,୫୨୫.୬୫ ସ୍ତରରେ ପହଞ୍ଚିଛି  । ମାର୍କେଟ ଖୋଲିବା ପୂର୍ବରୁ ସେନସେକ୍ସ ୭୦୨.୮୬ ଅଙ୍କ ସହ ଟ୍ରେଣ୍ଡ କରୁଛି  । ସୋମବାର ଷ୍ଟକ ମାର୍କେଟରେ ଅଙ୍କ ଖସିବା ଯୋଗୁଁ ଏହାର ପ୍ରଭାବ BSEର ଜଣାଶୁଣା କମ୍ପାନୀ ଉପରେ ପଡିଛି  । ଶୁକ୍ରବାର ୩୨୦ ଲକ୍ଷ କୋଟି ଟଙ୍କାରୁ ହ୍ରାସ ହୋଇ ୩୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି  । ବିଏସଇର ଜଣାଶୁଣା କମ୍ପାନୀର ସେୟାରରେ ନିବେଶ କରିଥିବା ନିବେଶକଙ୍କ ୪ ଲକ୍ଷ କୋଟି ସମ୍ପତ୍ତି ଗୋଟିଏ ଝଟକାରେ ସ୍ବାହା ହୋଇଯାଇଛି  ।

ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ସର୍ବାଧିକ ପ୍ରଭାବ କଞ୍ଚାତେଲରେ ପଡିଛି  । ସୋମବାର କାରବାର ଆରମ୍ଭରୁ ଭାରତ ବ୍ରିଟିଶ ପେଟ୍ରୋଲିୟମ ଲିମିଟେଡ ସେୟାର ୨.୩୫% ରୁ ଖସି ୩୩୯.୦୫ ଟଙ୍କା ସ୍ତରରେ ପହଞ୍ଚି ଟ୍ରେଣ୍ଡ କରୁଛି  । ଏହା ଛଡା ଭାରତୀୟ ରେଳ ଫାଇନାନ୍ସ କର୍ପୋରେସନ ୩.୪୭ ପ୍ରତିଶତ, ସୁଜଲନର ସେୟାର ୩.୯୫ ପ୍ରତିଶତକୁ ଖସିଛି  । ଆଦାନୀ ପୋର୍ଟର ସେୟାର ବି ୨.୯୨ ପ୍ରତିଶତକୁ ଖସି ୮୦୬.୫୦ ଟଙ୍କାରେ ପହଞ୍ଚିଛି  । ସେହିପରି ଏସବିଆଇ ଷ୍ଟକ ୧.୪୧ ପ୍ରତିଶତକୁ ହ୍ରାସ ପାଇ ୫୮୫.୯୦ ଟଙ୍କାରେ କାରବାର କରୁଛି  ।