ସେୟାର ବଜାର ପାଇଁ ଭିଲେନ୍ ସାଜିଲା ଆମେରିକା, କେଇ ମିନିଟରେ ଡୁବିଲା ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା
ନନ୍ଦିଘୋଷ ବ୍ୟୁରୋ: ସେୟାର ମାର୍କେଟରେ ଲାଗିଛି ନିଆଁ । ମାତ୍ର କିଛି ସମୟ ମଧ୍ୟରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି । ସଦ୍ୟତମ ସୂଚନା ଅନୁସାରେ ସୋମବାର ସେୟାର ବଜାରରେ ବଡ଼ ଧରଣ ହ୍ରାସ ଘଟିଛି । ସୋମବାର ସକାଳୁ ଡାଇନରୁ ଆରମ୍ଭ ହୋଇଛି । ଉଭୟ ନିଫ୍ଟି ଏବଂ ସେନ୍ସେକ୍ସରେ ହ୍ରାସ ଘଟିଛି । ତେବେ ଏହାର ମୁଖ୍ୟ କାରଣ ଟ୍ରମ୍ପ ବୋଲି କୁହାଯାଉଛି । ଆମେରିକାର ରାଷ୍ଟ୍ରପତିଙ୍କ ଘୋଷଣା ପରେ ଏଭଳି ଘଟିଥିବା କୁହାଯାଉଛି । ଚୀନ, କାନାଡ଼ା ଏବଂ ମେକ୍ସିକୋ ଉପରେ ଆମେରିକାର ଟ୍ୟାକ୍ସ ବୃଦ୍ଧି ପରେ ସେୟାର ମାର୍କେଟରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି । ସେନ୍ସେକ୍ସ ୭୦୦ ଅଙ୍କ ହ୍ରାସ ହୋଇ ୭୬, ୮୨୭.୯୫ରେ ପହଞ୍ଚି ଥିବାବେଳେ ନିଫ୍ଟି ୨୦୭.୯୦ ଅଙ୍କର ହ୍ରାସ୍ ହୋଇ ୨୩,୨୭୪.୨୫ ଅଙ୍କରେ ପହଞ୍ଚିଛି । ତେବେ ସୋମବାର ସେୟାର ବଜାର ଖୋଲୁ ଖୋଲୁ ମାର୍କେଟ ଦ୍ରୁତ ଗତିରେ ହ୍ରାସ ହେବା ଆରମ୍ଭ ହୋଇଥିଲା । ସେୟାର ମାର୍କେଟର ପ୍ରମୁଖ ସୂଚକାଙ୍କ ମଧ୍ୟ ଏବେ ହ୍ରାସ ଘଟିଛି । ଏପରିକି ପ୍ରମୁଖ କମ୍ପାନୀମାନଙ୍କର ସେୟାରରେ ମଧ୍ୟ ହ୍ରାସ ଘଟିଛି ।
ତେବେ ସେୟାର ମାର୍କେଟରେ ବଡ଼ ଧରଣର କ୍ଷତି ସହିଛନ୍ତି ନିବେଶକ । ବିଏସଇ ତାଲିକାଭୁକ୍ତ କମ୍ପାନୀ ଗୁଡ଼ିକର ଗତ ବାଣିଜ୍ୟ ଅଧିବେଶନରେ ୪୨୪ ଲକ୍ଷ କୋଟିରୁ ୪୧୯ କୋଟ ଲକ୍ଷକୁ ହ୍ରାସ ପାଇଛି । ଏହି କାରଣରୁ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତେବେ ବଜେଟ ଘୋଷଣା ହେବା ପରେ ଆଶା ରହିଥିଲା କି ସେୟାର ମାର୍କେଟରେ ନିବେଶକମାନେ ଭଲ ଲାଭ ପାଇବେ । ମାତ୍ର ଆମେରିକାର ଟ୍ୟାକ୍ସ ବୃଦ୍ଧି ଘୋଷଣା ପରେ ସବୁକିଛି ଗଡ଼ବଡ଼ ହୋଇଯାଇଛି ।