୨୦ ମାର୍ଚ୍ଚରେ ଆରଜେଡିରେ ବିଲୟ ହେବ ଶରଦ ଯାଦବଙ୍କ ଏଲଜେଡି

1 min read

ପାଟନା: ପୁଣି ଥରେ ସରଗରମ ହେବାରେ ଲାଗିଛି ବିହାର ରାଜନୀତି । ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ମଧ୍ୟରେ ବିବାଦ ଏବେ ଶେଷ ହୋଇଛି । ଏହି ବିବାଦ ପରେ ଏବେ ବିହାର ରାଜନୀତି ପୁଣି ସରଗରମ ହେବାରେ ଲାଗିଛି । ଲୋକତାନ୍ତ୍ରିକ ଜନତା ଦଳର ମୁଖ୍ୟ ଶରଦ ଯାଦବ ଏବେ ଏକ ବଡ଼ ଘୋଷଣା କରିଛନ୍ତି । ଶରଦ ଯାଦବ ଖୁବଶୀଘ୍ର ତାଙ୍କ ପାର୍ଟି ଏଲଜେଡିକୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟି ରାଷ୍ଟ୍ରିୟ ଜନତା ଦଳରେ ବିଲୟ ହେବ । ଏହି ସୂଚନା ଏଲଜେଡି ମୁଖ୍ୟ ଶରଦ ଯାଦବ ଦେଇଛନ୍ତି । ଶରଦ ଯାଦବ କହିଛନ୍ତି କି ୨୦ ମାର୍ଚ୍ଚରେ ଅଧିକାରିକ ଭାବରେ ତାଙ୍କ ପାର୍ଟି ଏଲଜେଡିକୁ ଲାଲୁ ଯାଦବଙ୍କ ଆରଜେଡିରେ ବିଲୟ କରିବେ । ଏହି ଅବସରରେ ତାଙ୍କ ଦିଲ୍ଲୀ ସ୍ଥିତ ବାସ ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଶରଦ ଯାଦବ ସୂଚନା ଦେଇଛନ୍ତି ।

ଲାଲୁ ପ୍ରସାଦ ଯାଦବ ୩ ଅଗଷ୍ଟ ୨୦୨୧ରେ ନୂଆଦିଲ୍ଲୀରେ ଶରଦ ଯାଦବଙ୍କୁ ଭେଟିଥିଲେ । ଶରଦ ଯାଦବଙ୍କୁ ଭେଟିବା ପରେ ରାଜନୀତିକୁ ନେଇ ଖୋଲାଖୋଲି ଭାବରେ କହିଥିଲେ ଲାଲୁ । ଲାଲୁ ଯାଦବ ସେ ସମୟରେ କହିଥିଲେ କି ଶରଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ଏହା ସହ ସେ ମଧ୍ୟ ସାଂସଦ ନାହାନ୍ତି । ଯାହା ଫଳରେ ଶରଦ ଯାଦବ ତାଙ୍କ ପାର୍ଟିକୁ ନେଇ ବଡ଼ ଘୋଷଣା କରିପାରନ୍ତି ବୋଲି ଲାଲୁ ଯାଦବ କହିଥିଲେ ।

ସୂଚନା ଅନୁସାରେ ନିତୀଶ କୁମାରଙ୍କ ସହ ରାଜନୈତିକ ମତଭେଦ ପାଇଁ ୨୦୧୮ରେ ଜେଡୁୟୁରୁ ବାହାରି ଥିଲେ । ଜେଡୁୟୁରୁ ବାହାରିବା ପରେ ଲୋକତାନ୍ତ୍ରିକ ଜନତା ଦଳ ନାମକ ଏକ ରାଜନୈତିକ ପାର୍ଟି ଗଠନ କରିଥିଲେ । ଏହା ପରେ ଶରଦ ଯାଦବ ୨୦୧୯ ଲୋକସଭା ନିର୍ବାଚନରେ ଆରଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ଜେଡିୟୁର ଦିନେଶ୍ୱର ଯାଦବଙ୍କ ଠାରୁ ୧ ଲକ୍ଷ ଭୋଟରେ ପରାଜୟ ବରଣ କରିଥିଲେ ।