ସତାରାରେ ଶକ୍ତି ପ୍ରଦର୍ଶନ କଲେ ସିନିୟର ପାୱାର, ହଜାର ହଜାର ସମର୍ଥକ ଏକାଠି

ମୁମ୍ବାଇ: ମହାରାଷ୍ଟ୍ରରେ ପାଓ୍ବାର କମ୍ପନ। ସିନିୟର ପାଓ୍ବାର ଭର୍ସେସ୍ ଜୁନିଅର ପାଓ୍ବାର। ସତାରାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶରଦ ପାଓ୍ବାର। ଅଜିତ ପାଓ୍ବାର ବିଦ୍ରୋହ କରି ସିନ୍ଦେ ସରକାରରେ ସାମିଲ ହେବା ପରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ସିନିୟର ପାଓ୍ବାର। ମହାରାଷ୍ଟ୍ର ଓ ଦେଶରେ କିଛି ସମୂହ ଜାତି ଓ ଧର୍ମ ନାଁରେ ସମାଜରେ ଫାଟ ସୃଷ୍ଟି କରୁଛନ୍ତି ।

ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଏନସିପି ମହାରାଷ୍ଟ୍ରର ସେବା କରୁଛି । ହେଲେ କିଛି ଲୋକ ତାଙ୍କ ସରକାର ଭାଙ୍ଗିଦେଲେ। କେବଳ ମହାରାଷ୍ଟ୍ର ନୁହେଁ ଦେଶର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ସୃଷ୍ଟି କରାଯାଉଛି। ବିଜେପି ସବୁ ବିରୋଧୀ ଦଳଙ୍କୁ ଶେଷ କରିବାକୁ ଉଦ୍ୟମ କରୁଛି। ଏନସିପିକୁ ଭାଙ୍ଗିବାକୁ ଉଦ୍ୟମ କରିଥିବା ଲୋକଙ୍କୁ ସେମାନଙ୍କ ଉଚିତ୍ ସ୍ଥାନ ଦେଖାଇବେ। ସାଂପ୍ରଦାୟିକ ଶକ୍ତିଙ୍କ ବିରୋଧରେ ଲଢ଼େଇ ଆରମ୍ଭ ହୋଇଛି । ଦଳକୁ ପୁନନିର୍ମାଣ କରିବେ ବୋଲି ଶରଦ ପାଓ୍ବାର କହିଛନ୍ତି ।

ଆସନ୍ତା ୫ତାରିଖରେ ଦଳୀୟ ପଦାଧିକାରୀଙ୍କ ବୈଠକ ଡାକିଛନ୍ତି ଶରଦ ପାଓ୍ବାର। ସତାରାର କରଡରେ ଶରଦ ପାଓ୍ବାରଙ୍କ ସମର୍ଥନରେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ। ସେପଟେ ଗତକାଲି ସରକାରରେ ସାମିଲ ହେବା ପରେ ଆଜି ଅଜିତ ପାଓ୍ବାରଙ୍କ ଘରେ ବିଦ୍ରୋହୀ ଗୋଷ୍ଠୀଙ୍କ ବୈଠକ ହୋଇଛି। ଏଥିରେ ସିନ୍ଦେ ସରକାରକୁ ସମର୍ଥନ ଦେଇଥିବା ସମସ୍ତ ମନ୍ତ୍ରୀ ସାମିଲ ହୋଇଛନ୍ତି ।

ପାଓ୍ବାର ସେୟାରିଂ ଫର୍ମୂଲା ନେଇ ବୈଠକରେ ଆଲୋଚନା ହୋଇଛି । ଅଜିତ ପାଓ୍ବାର ଓ ଗତକାଲି ଶପଥ ନେଇଥିବା ୮ ଏନସିପି ବିଧାୟକଙ୍କୁ କେଉଁ ବିଭାଗ ମିଳିବ ସେନେଇ ବିଚାର ବିମର୍ଶ କରିଥିବା ଜଣାପଡିଛି । ଏହାପରେ ଦେବେନ୍ଦ୍ର ଫଡନାବିସଙ୍କ ଘରେ ପହଞ୍ଚି ଆଲୋଚନା କରିଛନ୍ତି ଅଜିତ ପାଓ୍ବାର ଓ ଅନ୍ୟ ଏନସିପି ନେତା। ସେଠାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ମଧ୍ୟ ପହଞ୍ଚିଛନ୍ତି। ଏନସିପି ପକ୍ଷରୁ ଦାଏର ପିଟିସନ୍ ପାଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି ନରଓ୍ବେକର କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅପରାହ୍ନ ୩ଟାରେ ଦାଦରର ଶିବାଜୀ ପାର୍କରେ ଶିବସେନା ସୁପ୍ରିମୋ ବାଲ ଠାକରେଙ୍କ ସ୍ମାରକ ନିକଟରେ ପହଞ୍ଚିବାକୁ ଆହ୍ବାନ ଦେଇଛନ୍ତି ।