ଭୋଟ୍ ନଥିଲେ କୃଷି ଆଇନ ପ୍ରତ୍ୟାହାର ହୋଇନଥାନ୍ତା

ମୁମ୍ବାଇ: ମୁଣ୍ଡ ଉପରେ ଉତ୍ତରପ୍ରଦେଶ ଓ ପଞ୍ଜାବ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି । ଏହି ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିବ ବୋଲି ହାଇକମାଣ୍ଡ ନିଶ୍ଚିତ ହେବା ପରେ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଲେ । ଏହାପରେ ଯାଇ ପ୍ରଧାନମନ୍ତ୍ରୀ ଏ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଅଗଣତାନ୍ତ୍ରିକ ଢଙ୍ଗରେ ଯେଉଁ ଚାଷୀ ଆଇନ ଆଣିଥିଲେ ତାକୁ ପ୍ରତ୍ୟାହାର କରିବାକୁ ଏକରକମ ବାଧ୍ୟ ହେଉଛନ୍ତି । ନିଜେ ପକାଇଥିବା ଛେପ ପୁଣି ଢୋକିବାକୁ ଯାଉଛନ୍ତି । ଏମିତି କହିଛନ୍ତି ଏନସିପି ସୁପ୍ରିମୋ ଶରଦ ପାଓ୍ବାର ।


ପାଓ୍ବାର କହିଛନ୍ତି, କେନ୍ଦ୍ରର ବିଜେପି ସରକାର କୃଷି ଆଇନ ଆଣିବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିବାର ଥିଲା । ସମସ୍ତଙ୍କ ସହମତି ନେଇ ସରକାର ଆଗେଇଥିଲେ ବେଦ କଣ ଅଶୁଦ୍ଧି ହୋଇଥାନ୍ତା? ଯଦି ଏ ତିନି ଆଇନ ଚାଷୀଙ୍କ ସ୍ବାର୍ଥ ଅନୁକୂଳ ଥିଲା ସଂସଦରେ ସରକାର ବିଲ୍ ଆଗତ କଲା ବେଳେ ତରବରିଆ କାହିଁକି ହେଲେ? ଆଲୋଚନା ଓ ବିତର୍କରୁ ବାଟ ଫିଟିଥାନ୍ତା । ସରକାର କିନ୍ତୁ ବିଲ୍ ପାସ କରିବାକୁ ବୁଲଡୋଜର ବି ଲଗାଇଥିଲେ । ଗଣତନ୍ତ୍ରେର ଏହା ଗ୍ରହଣୀୟ ନୁହେଁ । ଆଗକୁ ଭୋଟ୍ ନଥିଲେ ଏ କୃଷି ଆଇନ କେନ୍ଦ୍ର ଆଦୌ ପ୍ରତ୍ୟାହାର କରିନଥାନ୍ତା । ଚାଷୀ ନୁହଁ ସରକାରଙ୍କ ପ୍ରାଥମିକତା ହେଉଛି କ୍ଷମତା । କ୍ଷମତା ପାଇଁ ବିଜେପି ସବୁପ୍ରକାର ନାଟ କରିପାରିବ ବୋଲି ଶରଦ କଠୋର ସମାଲୋଚନା କରିଛନ୍ତି ।


ମହାରାଷ୍ଟ୍ର ଗଠବନ୍ଧନ ସରକାର ସଂପର୍କରେ ପାଓ୍ବାର ଭବିଷ୍ୟବାଣୀ କରିଛନ୍ତି, ଏ ସରକାର ପୂରା ୫ ବର୍ଷ ପୂରଣ କରିବ । ଆସନ୍ତା ନିର୍ବାଚନରେ ମେଣ୍ଟ ହେଲେ ବେଶ୍ ସଫଳତା ମଧ୍ୟ ମିଳିବ ।

Leave a Reply