ହଟସ୍ପଟ ପାଲଟିଛି ଚୀନର ସାଂଘାଇ ସହର, ତିଦିନ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ସାଂଘାଇ: ପୁଣି ଚୀନରେ କରୋନା ବିସ୍ଫୋଟ । ହଟସ୍ପଟ ପାଲଟିଛି ସାଂଘାଇ ସହର । ବଢୁଛି କରୋନାର ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ସ୍ଥିତି ବିଗିଡୁଛି । ଚୀନର ସବୁଠୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳୀ ସାଂଘାଇ ସହରରେ ସଂକ୍ରମଣ ଶୀର୍ଷ ଛୁଇଁଛି । ପ୍ରତିଦିନ ୨୦ ହଜାରରୁ ଅଧିକ କେସ୍ ଚିହ୍ନଟ ନେଇ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ । କଡ଼ା କଟକଣା, ସାମୂହିକ କୋଭିଡ୍ ପରୀକ୍ଷା, ସଂଗରୋଧ ସତ୍ତ୍ବେ ସଂକ୍ରମଣ କମିବାର ନାଁ ଧରୁନି । ଅଧିକ କେସ୍ ଲକ୍ଷଣହୀନ ଥିବାରୁ ସ୍ଥିତି ଅଧିକ ଚିନ୍ତାଜନକ ହୋଇଛି ।
ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସହ ଚୀନ ଆର୍ମିର ମେଡିକାଲ ଷ୍ଟାଫଙ୍କୁ ମଧ୍ୟ କୋଭିଡ୍ ଡ୍ୟୁଟିରେ ସାମିଲ କରାଯାଇଛି । ସାଂଘାଇ ହସ୍ପିଟାଲରେ ମିଲିଟାରୀ ଡାକ୍ତର ନିଯୁକ୍ତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚୀନ ସରକାର ସାଂଘାଇ ସହରରେ ତିନି ଥର ସାମୂହିକ କୋଭିଡ୍ ଟେଷ୍ଟ କରାଇଥିଲେ ବି ଭୂତାଣୁକୁ କାବୁ କରାଯାଇପାରିନାହିଁ । ତେବେ କଡ଼ା ଲକଡାଉନ କଟକଣା ଯୋଗୁ ଖାଦ୍ୟ ଯୋଗାଣ ଅତ୍ୟଧିକ ବାଧାପ୍ରାପ୍ତ ହୋଇଛି ।
ଅନ୍ୟପଟେ, ଦେଶରେ କିଛି ଦିନ ପରେ ପୁଣି ଏକ ହଜାର ଅତିକ୍ରମ କରିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୧,୧୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୩,୦୬୭କୁ ବୃଦ୍ଧି ପାଇଛି। ସେହିପରି ୧,୨୧୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୦୦,୦୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧,୫୭୩ରେ ପହଞ୍ଚିଛି।