ରଣଜୀ ଟ୍ରଫିରେ ମହମ୍ମଦ ସାମିଙ୍କ ଘାତକ ବୋଲିଂ, ଭାରତୀୟ ଦଳକୁ କେବେ ରହିଛି ଅପେକ୍ଷା

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଘାତକ ବୋଲର ମହମ୍ମଦ ସାମି ଆହତ କାରଣରୁ ଦୀର୍ଘଦିନ ଧରି କ୍ରିକେଟ ମଇଦାନରୁ ବାହାରେ ରହିଥିଲେ । ଦିନିକିଆ ବିଶ୍ବକପ ପରଠାରୁ ସେ ଆହତ ରହିଥିଲେ । ଏବେ ରଣଜୀ ଟ୍ରଫି ଖେଳୁଥିବାବେଳେ ଦମଦାର ପ୍ରଦର୍ଶନ ଆରମ୍ଭ କରିଛନ୍ତି । ସାମିଙ୍କ ଘାତକ ବୋଲିଂ ଆଗରେ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ବଙ୍ଗଳା ପକ୍ଷରୁ ଖେଳିଥିବାବେଳେ ସାମି ୪ ଓ୍ବିକେଟ ଅକ୍ତିଆର କରିଛନ୍ତି । ତାଙ୍କ ସେହି ସ୍ପିଡ ଆଉ ସମାନ ଲାଇନ ଏବେ ମଧ୍ୟ ଜାରି ରଖିଛନ୍ତି ସାମି । ସାମି ୧୯ ଓଭର ବୋଲିଂ କରିଥିବାବେଳେ ୫୪ ରନ ଦେଇ ୪ ଓ୍ବିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି ।

ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବା ଲାଗି ବିଦେଶ ଗସ୍ତରେ ଅଛି । କୁହାଯାଉଥିଲା କି, ଏହି ସିରିଜରେ ସାମି ସ୍ଥାନ ପାଇବେ । ମାତ୍ର ଫିଟନେସରେ ଫେଲ ହେବା ପରେ ତାଙ୍କୁ ଦଳରୁ ଦୂରେଇ ରଖାଯାଇଥିଲା । ସେପଟେ ଅଧିନାୟକ ରୋହିତ ଶର୍ମା କହିଥିଲେ କି, ସେ ଶତ ପ୍ରତିଶତ ଠିକ ହେବା ପରେ ଦଳକୁ ଫେରିବେ । ଆଉ ଏବେ ସାମିଙ୍କ ବୋଲିଂ ଷ୍ଟାଇଲ ସାଙ୍ଗକୁ ଆକ୍ରମଣାତ୍ମ ଢ଼ଙ୍ଗ ଦେଖିବା ପରେ ଲାଗୁଛି କି, ସେ ଖୁବଶୀଘ୍ର ଭାରତୀୟ ଦଳରେ ସାମିଲ ହେବେ । ତେବେ ଆଗାମୀ ମ୍ୟାଚ ଗୁଡ଼ିକରେ ସାମିଙ୍କ ପ୍ରଦର୍ଶନ କିଭଳି ରହୁଛି ତାକୁ ବେଶ ବିଚାରକୁ ନିଆଯିବ ।