ଲୁଟ୍ କରିବାକୁ ଆସି ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ, ଦୁଇ ଜଣଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ବର : ରାଜଧାନୀରେ ବର୍ବରକାଣ୍ଡ । ଲୁଟ୍ କରିବାକୁ ଆସି ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ । ଏନେଇ ଗତକାଲି ଚାଞ୍ଚଲ୍ଯ ଖେଳିବା ପରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ମୈତ୍ରୀବିହାର ଥାନା ପୋଲିସ । ପୀଡ଼ିତା ଥାନାରେ ଅଭିଯୋଗ କରିବାପରେ ବିଭିନ୍ନ ସ୍ଥାନରେ ରେଡ୍ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଗତ ରବିବାର ବିଳମ୍ବିତ ରାତିରେ ରାଜଧାନୀର ଛାତି ଉପରେ ଘଟିଥିଲା ଛାତିଥରା ଘଟଣା । ରାତି ପ୍ରାୟ ୨ଟା ବେଳେ ଦୁଇ ଜଣ ଲୁଟେରା ଲୁଟ୍ କରିବାକୁ ଆପାର୍ଟମେଣ୍ଟରେ ପଶିଥିଲେ । ଏକ ଘରର ବାଲକୋନି ଖୋଲାଥିବା ଦେଖି ସେହି ଘରେ ପଶିଥିଲେ । ସେହି ଘରେ ୨ ବର୍ଷର ଝିଅ ସହ ରହୁଥିଲେ ମହିଳା । କେହି ନଥିବାରୁ ସୁୟୋଗ ନେଇ  ଶିଶୁକନ୍ଯାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ଏହାପରେ ଗହଣା ଲୁଟି ଫେରାର ହୋଇଯାଇଥିଲେ ।  ଏଭଳି ଭୟଙ୍କର ଘଟଣା ରାଜଧାନୀରେ ଆତଙ୍କ ଖେଳାଇଦେଇଥିବାବେଳେ କମିଶନରେଟ ପୋଲିସ ପାଇଁ ଚ୍ଯାଲେଞ୍ଜ ସୃଷ୍ଟି ହୋଇଛି । ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ ହୋଇଛି । ମାନବାଧିକାର କର୍ମୀ ଜୟନ୍ତ ଦାସ ମାମଲା ରୁଜୁ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ।