ହୃଦୟ ବିଦାରକ; ଭାଇର ଶବକୁ ଧରି ରାସ୍ତା କଡ଼ରେ ବସିଛି ଭାଇ, କେହି କଲେନି ସହାୟତା

1 min read

ଭୋପାଳ: ବଡ଼ ଭାଇ କୋଳରେ ଦୁଇ ବର୍ଷର ସାନ ଭାଇର ମୃତ ଦେହ । ମୃତ ଦେହ ଉପରେ ଧଳା ଚାଦର ଘୋଡାଯାଇଛି । ଗୋଟିଏ ପଟେ ମୃତ ଭାଇର ହାତ ବାହାରକୁ ବାହାରି ଆସିଛି । ସାନଭାଇ ରାଜାର ମୁଣ୍ଡକୁ ବଡ଼ ଭାଇ ନିଜ କୋଳରେ ଥୋଇଛି । ରାସ୍ତା କଡ଼ରେ ବସି ରହିଛି ବଡ ଭାଇ । ମଝିରେ ମଝିରେ ସାନଭାଇର ମୃତଦେହକୁ ଥାପୁଡେଇ ଦେଉଛି । ଲୁହଭରା ଆଖିରେ ଗାଡିକୁ ଅପେକ୍ଷା କରିଛି । ଗାଡି ଆସିଲେ ଭାଇର ମୃତଦେହକୁ ନେଇ ଗାଁକୁ ଯିବ । ବାପା ଏଣେ ତେଣେ ଅତି ବ୍ୟସ୍ତତାର ସହ ଗାଡି ଖୋଜୁଛନ୍ତି । ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଳରେ ।

ଭୋପାଳରୁ ୩୦ କିଲୋମିଟର ଦୁରରୁ ଦୁଇ ବର୍ଷର ପୁଅକୁ ଡାକ୍ତରଖାନାକୁ ଆଣିଥିଲେ ବାପା । ଗୁରୁତର ରୋଗରେ ପୀଡିତ ଥିବା ରାଜାର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଗାଁରୁ ଆସିଥିବା ଆମ୍ବୁଲାନ୍ସ ଫେରିଯାଇଥିବା ବେଳେ ସେଠାରେ ଆଉ ଆମ୍ବୁଲାନ୍ସ ମିଳିନଥିଲା । ବାପା ଯେତେ ନେହୁରା ହୋଇଥିଲେ ମଧ୍ୟ କେହି ଖାତିର ବି କରିନଥିଲେ । ଆମ୍ବୁଲାନ୍ସ ଦେଢ ହଜାର ଟଙ୍କା ମାଗିବାରୁ ନିଜ ଅକ୍ଷମତା ଦର୍ଶାଇଥିଲେ ବାପା ।

ଶେଷରେ ସାନ ପୁଅର ଶବ ସହ ବଡ଼ ପୁଅକୁ ଧରି ଡାକ୍ତରଖାନାରୁ ପଳାଇଆସିଥିଲେ । ରାସ୍ତାରେ କଡ଼ରେ ବଡ଼ ପୁଅକୁ ବସାଇ ବାପା ଗାଡି ଖୋଜିବାକୁ ଯାଇଥିଲେ । ଏହି ସମୟରେ ଅନେକ ଲୋକ ଏଭଳି ସ୍ଥିତିକୁ ଦେଖି ବିଚଳିତ ହୋଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦିଆଯାଇଥିଲା । ଅନେକ ସମୟର କସରତ ପରେ ଆମ୍ବୁଲାନ୍ସ ଆସି ମୃତଦେହକୁ ନେଇ ସେଠାରୁ ଯାଇଥିଲା । ଏହି ଘଟଣାକୁ ସୋସିଆଲ ମିଡିଆରେ ପ୍ରବଳ ନିନ୍ଦା କରାଯାଇଛି । ପ୍ରଶାସନର ସ୍ବଚ୍ଛଳ ଶାସନର ସତ ଚିତ୍ର ପଦାକୁ ଆସିଛି ଅନେକ କହିଛନ୍ତି ।