ଲଭ ଜିହାଦ୍‌: ପତ୍ନୀଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବଧ୍ୟ କରୁଥିଲା ପତି, ଏବେ ଜେଲ୍‌ରେ..

1 min read

ଶହଡୋଲ: ଦେଶର ବିଭିନ୍ନ ରାଜ୍ୟରେ ‘ଲଭ୍ ଜିହାଦ୍’ ବିରୋଧରେ ଆଇନ ପ୍ରଣୟନ ହେବା ନେଇ ଆଲୋଚନା କରାଯାଉଥିବା ବେଳେ ମଧ୍ୟପ୍ରଦେଶ ଶହଡୋଲରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ରହିଛି, ସେ ନିଜ ପତ୍ନୀର ଧର୍ମ ପରିବର୍ତ୍ତନ କରିବାକୁ ବାରମ୍ବାର ଚାପ ପକାଉଥିଲା ।

ଅଭିଯୁକ୍ତ ଜଣକ ପତ୍ନୀଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବା ସହ ଆରବି ପଢ଼ିବା ଓ ଉର୍ଦ୍ଦୁ ଶିଖିବା ପାଇଁ ବାଧ୍ୟ କରୁଥିଲା । ଏହାସହ ମହିଳାଙ୍କ ପରିବାର ଉପରେ ମଧ୍ୟ ଚାପ ପକାଉଥିଲା । ତେବେ ସ୍ୱାମୀର ନିର୍ଯାତନା ଅସହ୍ୟ ହେବାରୁ ପତ୍ନୀ ବାଧ୍ୟ ହୋଇ ପୋଲିସର ସାହାରା ନେଲେ । ପୋଲିସ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ମଧ୍ୟପ୍ରଦେଶ ଧାର୍ମିକ ସ୍ୱତନ୍ତ୍ରତା ଅଧିନିୟମ ଅନୁଯାୟୀ ଶହଡୋଲ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସର କହିବାନୁଯାୟୀ, ଉଭୟ ପତି-ପତ୍ନୀ ୨୦୧୮ରୁ ଏକାଠି ରହିଆସୁଥିଲେ ।

ମଧ୍ୟପ୍ରଦେଶ ଶହଡୋଲ ଜିଲ୍ଲାରେ ଜବରଦସ୍ତ ଧର୍ମ ପରିବର୍ତ୍ତନ ବିରୁଦ୍ଧରେ ଆଇନ ପ୍ରଣୟନ ନେଇ ଆଲୋଚନା ହେଉଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଶିବରାଜ ସରକାର ଆଗାମୀ ବିଧାନସଭା ଅଧିବେଶନରେ ଜବରଦସ୍ତ ଧର୍ମପରିବର୍ତ୍ତନ ବିରୋଧରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । କିଛି ଦିନ ପୂର୍ବରୁ ରାଜଧାନୀ ଭୋପାଳରେ ‘ଲଭ୍ ଜିହାଦ୍’ର ମାମଲା ସାମ୍ନାକୁ ଆସିଥିଲା । ‘ଲଭ୍ ଜିହାଦ୍’ର ଶିକାର ହୋଇଥିବା ମହିଳା ଜଣକ ସହାୟତା ପାଇଁ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କ ବଙ୍ଗଳା ନିକଟରେ ପହଞ୍ଚିଥିଲେ । ଗୃହମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ ଭୋପାଳ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ଗେହୂଖେଡ଼ାର ଜଣେ ବ୍ୟକ୍ତି ହିନ୍ଦୁ ବୋଲି ପରିଚୟ ଦେଇ ତାଙ୍କୁ ବିବାହ କରିଥିଲେ । ଉଭୟଙ୍କର ସନ୍ତାନ ହେବା ପରେ ସେ ଜାଣିବାକୁ ପାଇଥିଲେ ଯେ, ସେ ଯାହାକୁ ବିବାହ କରିଛନ୍ତି ତାଙ୍କ ନାମ ଉମେଶ ନୁହେଁ ବରଂ ସଲମାନ ।

Leave a Reply