‘ମୁଁ ଭିକ ମାଗୁଛି ମୋ ପୁଅକୁ ଜେଲ୍ ପଠାନ୍ତୁନି’, ସମୀରଙ୍କୁ ମେସେଜ୍ କରି ଏପରି ନିବେଦନ କରିଥିଲେ ଶାହରୁଖ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡେଙ୍କ ଉପରେ ଶାହରୁଖ ଖାନଙ୍କଠୁ ୨୫ କୋଟି ଟଙ୍କା ଲାଞ୍ଚ ନେବାର ଅଭିଯୋଗ ରହିଛି । ଏହି ମାମଲାରେ ତଦନ୍ତ କରୁଛି ସିବିଆଇ । ଏବେ ନିଜକୁ ରକ୍ଷା କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସମୀର ୱାଙ୍ଖେଡେ । ସମୀର ନିଜ ଯାଚିକାରେ ଶାହରୁଖଙ୍କ ସହ ହୋଇଥିବା କଥାବାର୍ତ୍ତାର ହ୍ୱାଟ୍ସଆପ୍ ଚାଟର ସ୍କ୍ରିନସଟ୍ ମଧ୍ୟ ଏଥିରେ ଆଟାଚ୍ କରିଛନ୍ତି । ଚାଟ୍ ମୁତାବକ ଶାହରୁଖ ଖାନ ସମୀରଙ୍କୁ ନିବେଦନ କରିଥିଲେ ଯେ ଆର୍ଯ୍ୟନଙ୍କୁ ଜେଲ୍ ନପଠାଇବା ପାଇଁ । ଏହା ବଦଳରେ ସେ ସବୁ ପ୍ରକାରର ସହାୟତା କରିବା ପାଇଁ ପ୍ରସ୍ତୁତ ଥିଲେ ।
ସ୍କ୍ରିନସଟ୍ ମୁତାବକ, ଶାହରୁଖ ଖାନ ଲେଖିଥିଲେ ଯେ, ”ଭଗବାନଙ୍କ ପାଇଁ ତୁମ ଲୋକମାନଙ୍କୁ କୁହ ଯେ ଶୀଘ୍ରତା ନକରନ୍ତୁ । ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ସବୁ ସମୟରେ ଆପଣଙ୍କ ସହ ଛିଡ଼ା ରହିବି ଏବଂ ଆପଣ ଯାହା ହାସଲ କରିବାକୁ ଚାହୁଁଛନ୍ତି ବା ଉଦ୍ୟମ କରୁଛନ୍ତି ସେଥିରେ ସହାୟତା କରିବି । ଏହା ଏକ ମର୍ଦ୍ଦର ପ୍ରତିଜ୍ଞା ଅଟେ ଏବଂ ଆପଣ ମତେ ତ ଜାଣିଛନ୍ତି ମୁଁ ଏପରି କରିବାରେ ସକ୍ଷମ ଅଟେ । ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ପ୍ଲିଜ ମୋ ଉପରେ ଏବଂ ମୋ ପରିବାର ଉପରେ ଦୟା କରନ୍ତୁ ।
ଆମେ ସାଧା ସିଧା ଲୋକ ଅଟୁ ଏବଂ ମୋ ପୁଅ ସାମାନ୍ୟ ଦୁଷ୍ଟ ହେଲେ ସେ ଏକ ଦୁର୍ଦ୍ଦାନ୍ତ ଅପରାଧୀ ଭଳି ଜେଲରେ ରହିବା ଯୋଗ୍ୟ ନୁହେଁ । ଆପଣ ମଧ୍ୟ ଏହା ଜାଣିଛନ୍ତି । ମୁଁ ଆପଣଙ୍କୁ ଭିକ ମାଗୁଛି ଦୟା କରନ୍ତୁ । ଏହି ଚାଟ୍ ମୁତାବକ ଶାହରୁଖ ସମୀର ୱାଙ୍ଖେଡେଙ୍କୁ ଆଗକୁ କହିଛନ୍ତି, ମୁଁ ଆପଣଙ୍କୁ ଭିକ ମାଗୁଛି , ଦୟାକରି ତାକୁ ଜେଲ ଯିବାକୁ ଦିଅନ୍ତୁନି । ମାନସିକ ଭାବରେ ସେ ଭାଙ୍ଗିପଡ଼ିବ । କିଛି ଲୋକଙ୍କ ପାଇଁ ତାର ଆତ୍ମା ମରିଯିବ ।
ଆପଣ ମୋତେ କଥା ଦେଇଥିଲେ ଯେ ଆପଣ ମୋ ପୁଅକୁ ଏପରି ଯାଗାକୁ ପଠାଇ ସୁଧାରିବେନି ଯେଉଁଠାରୁ ଆସିବା ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯିବ । ଯଦି କିଛି ପ୍ରକ୍ରିୟା ଅଛି ଯେଉଁଥିରେ ଆଇନ ଅଧିକାର ଅନୁଯାୟୀ ଆପଣଙ୍କ ନିଷ୍ଠାରେ ବିନା ଆଞ୍ଚ ଆସି ଆପଣ ସହାୟତା କରିପାରିବେ ତେବେ ମୁଁ ସବୁବେଳେ ଋଣୀ ହୋଇ ରହିବି । ମୋତେ ମାମଲାର ଅଧିକ ସୂଚନା ନାହିଁ, କିନ୍ତୁ ଯେବେ ଡିପାର୍ଟମେଣ୍ଟ ଇନଚାର୍ଜଙ୍କୁ ଲାଗିବ ଯେ ସବୁ ଠିକ୍ ଅଛି ଏବଂ ଆପଣ ସନ୍ତୁଷ୍ଟ ଅଛନ୍ତି ତେବେ ଆପଣଙ୍କ ଅଥରିଟି ତାଙ୍କର ଯାହା ବି ସର୍ତ୍ତ ଥିବ ତା ସହ ସର୍ଟ ରିପ୍ଲାଇ କରିଦେବେ ।
ମୁଁ ପ୍ରତିଜ୍ଞା କରୁଛି ଯେ ଆପଣଙ୍କୁ ମୋ ତରଫରୁ ସମସ୍ତ ସହଯୋଗ ମିଳିବ । ପ୍ଲିଜ ଏହି ଦରଖାସ୍ତକୁ ଦୟାର ସହ ଦେଖିଲେ ବଡ଼ ଉପକାର ହେବ । ପରିବାର ଲୋକ ଚାହୁଁଛନ୍ତି ଯେ ଆର୍ଯ୍ୟନ ଘରକୁ ଆସିଯାଉ ଏବଂ ତା ଉପରେ ଜେଲ ଯିବାର ବଦନାମୀ ନଲାଗୁ । ଏହା ତାର ଭବିଷ୍ୟତ ପାଇଁ ମଧ୍ୟ ବହୁତ ସହାୟକ ହେବ ଏବଂ ଏଥିପାଇଁ ଜଣେ ବାପା ଭାବରେ ଏପରି ନିବେଦନ କରୁଛି । ଆଶା କରୁଛି ଆପଣ ଏହା ଉପରେ ଧ୍ୟାନ ଦେବେ ।”