ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

କଟକ: ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ନୁହେଁ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ । କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସଂପର୍କ ରଖୁଛନ୍ତି । ତେଣୁ ଏଭଳି ଘଟଣାରେ ଦୁଷ୍କର୍ମ ସଂକ୍ରାନ୍ତୀୟ ଆଇନ ବ୍ୟବହାର ହେବା ଉଚିତ ନୁହେଁ । ଆଇପିସିର ଦଫା ୩୭୫ ଅନୁସାରେ ପୀଡ଼ିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନା ପ୍ରସଙ୍ଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଛି ।

କିନ୍ତୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସଂପର୍କ ରଖିବା ଘଟଣା ଏହାର ଅନ୍ତର୍ଭୁକ୍ତ ନୁହେଁ । ଏହିଭଳି ଘଟଣା ଗୁଡ଼ିକୁ ଦୁଷ୍କର୍ମ ଭାବେ ଗ୍ରହଣ କରିବା ଭୁଲ୍ ହେବ । ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି । ସୂଚନା ଅନୁଯାୟୀ, ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ବ୍ୟକ୍ତି ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ । କିଛିଦିନ ପରେ ସେ ଯୁବତୀଙ୍କୁ ଛାଡ଼ି ପଳାଇଥିଲା ।

ଏନେଇ ଯୁବତୀଙ୍କ ପକ୍ଷରୁ ନିମାପଡା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ଏହି ଆବେଦନର ଶୁଣାଣି କଲା ବେଳେ ହାଇକୋର୍ଟ ଦୁଷ୍କର୍ମକୁ ନେଇ ଏଭଳି ଏକ ରାୟ ଦେଇଛନ୍ତି । ଏହା ସହିତ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।