୨୪ରେ ବାତ୍ୟାର ରୂପ ନେବ ‘ୟଶ’, ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ଏହି ବାତ୍ୟା ଉତ୍ତର ଓଡିଶା ଉପକୂଳ କିମ୍ବା ବାଂଲାଦେଶରେ ସ୍ଥଳଭାଗକୁ ଛୁଇଁପାରେ । ଏନେଇ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।
ସେପଟେ ବିକଳ୍ପ ପାନୀୟ ଓ ବିଦ୍ୟୁତ ଯୋଗାଣ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମାଛଧରା ବନ୍ଦରରେ ଲୋକଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସଚେତନା କରାଯାଉଛି । ଜେଟିରେ ଡଙ୍ଗାଗୁଡିକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ସତର୍କତାମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ବାତ୍ୟାର ସ୍ପଷ୍ଟ ସୂଚନା ମିଳିଲେ ଓଡ୍ରାଫ ଓ ଏନଡିଆରଫ ଟିମକୁ ମୁଭ କରାଯିବ ।
ଟେଲିକମ ସେବା ନେଇ ସବୁ ଟେଲିକମ କମ୍ପାନୀ ସହ ଆଲୋଚନା କରାଯାଇଛି । ତେବେ ଅଜଥା ଭୟ କରି ହାଟବଜାରରେ ଭିଡ କରନ୍ତୁ ନାହିଁ କିମ୍ବା ହୋଡିଂ ନକରିବାକୁ ଏସଆରସିଙ୍କ ଅପିଲ । କଳାବଜାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ।