spot_img

Latest Posts

୪ରୁ ପ୍ରବଳ ଗ୍ରୀଷ୍ମପ୍ରବାହ, ୪୦ ଡିଗ୍ରୀ ଉପରେ ରହିବ ପାରଦ

ଭୁବନେଶ୍ୱର: କାଲିଠୁ ଉଷ୍ମ ରାତି। ୪ ରୁ ପ୍ରବଳ ଗ୍ରୀଷ୍ମପ୍ରବାହ। ଉପାନ୍ତରୁ ଉପକୂଳ ତାତି କରିବ ଅସ୍ତବ୍ୟସ୍ତ। ଦିନରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ରାତିରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ। ଫଳରେ ଏକ ଅସହ୍ୟ ପାଣିପାଗ ସ୍ଥିତି ଉପୁଜିବ। ଏଥିପାଇଁ ଅଧିକାଂଶ ସହରକୁ ୟେଲୋ ଆଲର୍ଟ ଜାରିକଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଟୁଇନସିଟିରେ ବର୍ଷିଲା ନିଆଁ। ସାରା ରାଜ୍ୟରେ ଏବେ ତାତିର ରାଜୁତି ଆରମ୍ଭ ହୋଇଛି।

ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହିଛି ପାରଦ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ସ୍ଥିତି ନାହିଁ। ମେଘମୁକ୍ତ ଆକାଶ ସମେତ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇଛି। ପ୍ରଭାବରେ ୨ ଏବଂ ୩ ତାରିଖ ରାଜ୍ୟରେ ଉଷ୍ମ ରାତି ପାଇଁ ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିଭଳି ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ। ଏଥିପାଇଁ ଭଦ୍ରକ, ଯାଜପୁର, କଟକ, ନୟାଗଡ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୫ ତାରିଖରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି। ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ, ବୌଦ୍ଧ, କନ୍ଧମାଳ, ସୋନପୁର ଜିଲ୍ଲାରେ ଅଗ୍ନି ବର୍ଷା ହେବ ବୋଲି ଆକଳନ କରାଯାଇଛି। ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ଜିଲ୍ଲା ଗୁଡିକରେ ମଧ୍ୟ ଉଷ୍ମ ରାତ୍ରୀ ରେକର୍ଡ ହେବା ନେଇ ପୂର୍ବାନୁମାନ କରାଯାଇଛି।

Latest Posts

Don't Miss