ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା: କାଲି ଯାଏଁ ନିସ୍ତାର ନାହିଁ

1 min read

ଭୁବନେଶ୍ୱର: ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହେଉଛି ଉପାନ୍ତରୁ ଉପକୂଳ । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରେକର୍ଡ ହୋଇଥିଲା । ଆଜି ବି ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି ।

ପ୍ରବଳ ଜାଡ଼ରୁ ଟିକେ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ପୁଇଁବାର ଦେଖିବାକୁ ମିଳୁଛି । ସଞ୍ଜ ବେଳରୁ ଥଣ୍ଡା ଅନୁଭୂତ ହେବା ସହିତ ରାତିରେ କୁହୁଡ଼ି ପଡ଼ିବା ଆରମ୍ଭ ହେଉଛି । ଆସନ୍ତାକାଲି ପର୍ଯ୍ୟନ୍ତ ଶୀତରୁ ନିସ୍ତାର ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାତିର ତାପମାତ୍ରାରେ ସ୍ୱାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିବ। ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଓଡ଼ିଶାକୁ ବହୁଥିବା ଥଣ୍ଡା ଏବଂ ଶୁଷ୍କ ପବନ ପାଇଁ ଶୀତର ପରିମାଣ ଅଧିକ ରହୁଛି ।

ଶୀତ ଲହରିକୁ ଦୃଷ୍ଟିରେ ରଖି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତିରେ ବାଇକ ଏବଂ ଖୋଲା କାରରେ ନ ବୁଲିବାକୁ ପରାମର୍ଶ ଦିଆଯାଇଛି । ଶିଶୁ ଏବଂ ବୟସ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୀତରେ ନ ବୁଲିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । କାଲି ପରେ ପବନର ଦିଗ ପରିବର୍ତ୍ତନ ହେବା ସହ ସାମାନ୍ୟ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।

Leave a Reply